ଭୁବନେଶ୍ୱର: ଜେଲ୍‌ଯାତ୍ରା ପରେ ଓଡ଼ିଶା ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଗ୍ରହଣ କରାଯାଇଛି କଠୋର କାର୍ଯ୍ୟାନୁଷ୍ଠାନ। ପୃଥକ୍‌ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଓଏଏସ୍ ଅଧିକାରୀ ଅରୁଣ କୁମାର ବିଶ୍ୱାଳ ଏବଂ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ସରକାରୀ ସେବା ନିୟମାବଳୀ ଅନୁଯାୟୀ ନିଲମ୍ବିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ସର୍କଲ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ନିଲମ୍ବିତ କରାଯାଇଛି।

  • ଅରୁଣ କୁମାର ବିଶ୍ୱାଳ (OAS): ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଓ ଆକ୍ରମଣ ଅଭିଯୋଗରେ ଭୁବନେଶ୍ୱରରେ ଗିରଫ ହେବା ପରେ ସେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।
  • ସୁଜିତ କୁମାର ରାଉଳ: ଗତବର୍ଷ ଅକ୍ଟୋବର ମାସରେ କଟକ ସର୍କଲ ଜେଲ୍‌ରୁ ଦୁଇଜଣ ହତ୍ୟା ଅଭିଯୁକ୍ତ ଫେରାର ହେବା ଘଟଣାରେ ନଥିପତ୍ର ଜାଲିଆତି ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ସରକାରୀ ସେବା ନିୟମାନୁଯାୟୀ, କୌଣସି ସରକାରୀ କର୍ମଚାରୀ ୪୮ ଘଣ୍ଟାରୁ ଅଧିକ ସମୟ ପୁଲିସ୍ କିମ୍ବା ବିଚାରବିଭାଗୀୟ ହାଜତରେ ରହିଲେ ତାଙ୍କୁ ସ୍ୱତଃପ୍ରବୃତ୍ତ ନିଲମ୍ବନ କରାଯାଏ। ସମ୍ପୃକ୍ତ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଲମ୍ବନ ଆଦେଶରେ ମୋହର ମାରିଛନ୍ତି।