କଟକ, ୨୫/୦୯: ପୁରୁଣା ନିଯୁକ୍ତିପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ OTET ପାସ୍ ବାଧ୍ୟତାମୂଳକ କି ନୁହେଁ, ଏହି ପ୍ରସଙ୍ଗରେ ଦାୟର ମାମଲାକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଲେଭଲ-୪ରୁ ଲେଭଲ-୩ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ମଧ୍ୟ ଅନ୍ତରୀଣ ଅଙ୍କୁଶ ଜାରି ହୋଇଛି।
OTET ନଥିବାରୁ ପଦୋନ୍ନତିରୁ ବାଦ
ସମ୍ବଲପୁର ନିର୍ଗୁନପଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଲେଭଲ-୪ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ବବ୍ରୁବାହନ ଭୋଇ ଗ୍ରେଡେସନ ତାଲିକାରେ ୭୭ତମ ସ୍ଥାନରେ ଥିଲେ। କିନ୍ତୁ OTET ପାସ୍ କରିନଥିବାରୁ ଲେଭଲ-୩ ବରିଷ୍ଠ ପ୍ରଧାନଶିକ୍ଷକ ପଦୋନ୍ନତିର ଚୂଡ଼ାନ୍ତ ତାଲିକାରେ ତାଙ୍କୁ ସାମିଲ କରାଯାଇନଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟ ଯାଇଛନ୍ତି।
ପଦୋନ୍ନତି ପ୍ରକ୍ରିୟାରେ ରୋକ
ଜଷ୍ଟିସ୍ ଆର୍.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ସମ୍ବଲପୁର ଡିଇଓ ଓ ଧନକଉଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଲେଭଲ-୩ ପଦୋନ୍ନତି ପ୍ରକ୍ରିୟାରେ ଆଗକୁ ନବଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସେପ୍ଟେମ୍ବର ୩ର ଅନୁମୋଦନ ଆଧାରରେ ପ୍ରକ୍ରିୟା ଆଗକୁ ନେବା ଉପରେ ମଧ୍ୟ ଅଙ୍କୁଶ ରହିଛି।
ନଭେମ୍ବର ୯ରେ ଚୂଡ଼ାନ୍ତ ଶୁଣାଣି
ପୁରୁଣା ନିଯୁକ୍ତିପ୍ରାପ୍ତ ଶିକ୍ଷକଙ୍କ ପଦୋନ୍ନତିରେ OTET ପାସ୍ ଆବଶ୍ୟକ କି ନୁହେଁ, ଏନେଇ ସରକାରଙ୍କୁ ସ୍ପଷ୍ଟ ଜବାବ ଦେବାକୁ ହାଇକୋର୍ଟ କହିଛନ୍ତି। ମାମଲାର ଚୂଡ଼ାନ୍ତ ଶୁଣାଣି ନଭେମ୍ବର ୯ରେ ହେବ।




