ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଏବଂ ସଚେତନତା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗକୁ ମିଳିଛି ଏକ ବଡ଼ ଆନ୍ତର୍ଜାତୀୟ ସଫଳତା। ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍ରେ ଆୟୋଜିତ ‘ୱାର୍ଲ୍ଡ ସେଫ୍ଟି ୨୦୨୬’ ସମ୍ମିଳନୀରେ ଦିଲ୍ଲୀ ପରିବହନ ବିଭାଗର ‘ହେଲମେଟ୍ ପିନ୍ଧିବା ପରିଣାମ’ ସଚେତନତା ଅଭିଯାନ ପାଇଁ ସମ୍ମାନଜନକ ‘ଅନରେବଲ୍ ମେନସନ୍’ ପୁରସ୍କାର ପ୍ରଦାନ କରାଯାଇଛି।
ଆନ୍ତର୍ଜାତୀୟ ସେଫ୍ଟି ମିଡିଆ ଆୱାର୍ଡ ଦ୍ୱାରା ‘ଅଲ୍ଟ୍ରା ଶର୍ଟ ଭିଡିଓ’ ବିଭାଗରେ ଏହି ପୁରସ୍କାର ଦିଆଯାଇଛି। ଦୁଇଚକିଆ ଯାନ ଚାଳକ ଏବଂ ପଛରେ ବସୁଥିବା ଆରୋହୀମାନଙ୍କ ପାଇଁ ସଠିକ୍ ଭାବେ ହେଲମେଟ୍ ପିନ୍ଧିବାର ଆବଶ୍ୟକତା ଏବଂ ହେଲମେଟ୍ ନପିନ୍ଧିଲେ ହେଉଥିବା ଭୟଙ୍କର ପରିଣାମ ବିଷୟରେ ଏହି ଅଭିଯାନ ମାଧ୍ୟମରେ ସଚେତନ କରାଯାଇଥିଲା।
ଅଗଷ୍ଟ ୨୦୨୫ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ପରିବହନ ମନ୍ତ୍ରୀ ପଙ୍କଜ କୁମାର ସିଂହଙ୍କ ସୂଚନା ଓ ଉପସ୍ଥିତିରେ ଏହି ଅଭିଯାନର ଆରମ୍ଭ ହୋଇଥିଲା। ବିଶ୍ୱ ସ୍ତରର ମିଡିଆ ଓ ଦୁର୍ଘଟଣା ନିରୋଧୀ ବିଶେଷଜ୍ଞଙ୍କୁ ନେଇ ଗଠିତ ଜୁରୀ ନିର୍ମାଣ ଗୁଣବତ୍ତା, ବାର୍ତ୍ତାର ସ୍ପଷ୍ଟତା, ନବସୃଜନ ଏବଂ ପ୍ରଭାବକୁ ଆଧାର କରି ଏହି ଆୱାର୍ଡ ପାଇଁ ଚୟନ କରିଛନ୍ତି।
ଅଭିଯାନର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ ଯେ ହେଲମେଟ୍ ପିନ୍ଧିବା କେବଳ ଟ୍ରାଫିକ୍ ନିୟମ ପାଳନ କରିବା ପାଇଁ ନୁହେଁ, ବରଂ ନିଜ ଜୀବନ ସୁରକ୍ଷା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କଦମ। ସଡ଼କ ସୁରକ୍ଷା ଏକ ସାମାଜିକ ଉତ୍ତରଦାୟିତ୍ୱ ଏବଂ ନିୟମ ପାଳନକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ।
ଏହି ବିଶ୍ୱସ୍ତରୀୟ ସମ୍ମାନ ସମ୍ପର୍କରେ ଦିଲ୍ଲୀ ପରିବହନ ମନ୍ତ୍ରୀ ପଙ୍କଜ କୁମାର ସିଂହ କହିଛନ୍ତି ଯେ ଏହି ପୁରସ୍କାର ଆମକୁ ଆଗାମୀ ଦିନରେ ସଡ଼କ ସୁରକ୍ଷା ସଚେତନତାକୁ ଆହୁରି ବ୍ୟାପକ କରିବା ପାଇଁ ଉତ୍ସାହିତ କରିବ।




