ସମ୍ବଲପୁର: ମହାନଦୀ ଅବବାହିକାରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଆହୁରି ଜୋରଦାର କରାଯାଇଛି। ବନ୍ୟାଜଳ ପରିଚାଳନା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ବୁଧବାର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହା ସହିତ ବର୍ତ୍ତମାନ ହୀରାକୁଦର ମୋଟ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି।

ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉପରମୁଣ୍ଡରୁ ଜଳପ୍ରବାହ ଜାରି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ମୋଟ ଖୋଲାଯାଇଥିବା ୮ଟି ଗେଟ୍ ମଧ୍ୟରୁ ବାମପଟର ୫ଟି ଏବଂ ଡାହାଣପଟର ୩ଟି ଗେଟ୍ ଦେଇ ନଦୀକୁ ପାଣି ଛଡ଼ାଯାଉଛି।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍‌ରେ ପହଞ୍ଚିଛି।

ଉପରମୁଣ୍ଡରୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ଗେଟ୍‌ ସଂଖ୍ୟା ବୃଦ୍ଧି କରାଯାଉଛି। ଏହାସହ ମହାନଦୀର ତଳିଆ ଅଞ୍ଚଳରେ ଜଳସ୍ତର ଓ ପ୍ରବାହ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।

ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀ କୂଳିଆ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ନଦୀ ଭିତରକୁ ନଯିବା ସହ ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସୂଚନା ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ଇନ୍ଦ୍ରାବତୀ ଜଳଭଣ୍ଡାରର ସ୍ଥିତିରେ ସୁଧାର ଆସିଥିବାରୁ ଏହାର ସମସ୍ତ ୩ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି। ତେବେ ମୁରାନ ଡ୍ୟାମ୍‌ର ଗୋଟିଏ ଗେଟ୍ ଦେଇ ଏବେ ବି ଜଳ ନିଷ୍କାସନ ଜାରି ରହିଛି।