ବାଲେଶ୍ୱର: ଝାଡ଼ଖଣ୍ଡସ୍ଥିତ ଗାଲୁଡ଼ିହ ବ୍ୟାରେଜ୍ରୁ ବନ୍ୟାଜଳ ଛଡ଼ାଯିବା ପରେ ଉତ୍ତର ବାଲେଶ୍ୱରରେ ପୁଣି ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ଚଳିତ ଋତୁରେ ସୁବର୍ଣ୍ଣରେଖା ନଦୀରେ ଏହା ଚତୁର୍ଥ ବନ୍ୟା ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ସୁବର୍ଣ୍ଣରେଖା ନଦୀର ବିପଦସଙ୍କେତ ୯.୪୫ ମିଟର ରହିଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ଜଳସ୍ତର ୧୦.୧୮ ମିଟରକୁ ବୃଦ୍ଧି ପାଇଛି। ଅନ୍ୟପଟେ ସମୁଦ୍ରରେ ଜୁଆର ଚାଲିଥିବାରୁ ବନ୍ୟାଜଳ ଶୀଘ୍ର ନିଷ୍କାସିତ ହୋଇପାରୁନାହିଁ, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।
ସେହିପରି ଜଳକା ନଦୀ ମଧ୍ୟ ମଥାନୀଠାରେ ବିପଦସଙ୍କେତ ୬.୫୦ ମିଟର ଟପି ୬.୭୮ ମିଟରରେ ପ୍ରବାହିତ ହେଉଛି। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ସୁଳିଆପଦା, ମୋରଡ଼ା ଓ ଚିତ୍ରଡ଼ା ଭଳି ଉପରମୁଣ୍ଡରେ କ୍ରମାଗତ ଲଘୁଚାପ ଜନିତ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି।
ସୁବର୍ଣ୍ଣରେଖାର ବନ୍ୟା ଯୋଗୁଁ ଉତ୍ତର ବାଲେଶ୍ୱରର ୩୮ଟି ପଞ୍ଚାୟତର ପ୍ରାୟ ୧୫୪ରୁ ଅଧିକ ଗାଁ ଜଳମଗ୍ନ ହୋଇଛି।ଭୋଗରାଇ ବ୍ଲକ୍ର ୧୫ଟି, ବାଲିଆପାଳର ୯ଟି, ଜଳେଶ୍ୱରର ୮ଟି ଏବଂ ବସ୍ତା ବ୍ଲକ୍ର ୬ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି। ବାଲିଆପାଳ ବ୍ଲକ୍ର ଆସ୍ତି, ବିଷ୍ଣୁପୁର, ମାଧୁପୁର, ଜାମୁକୁନ୍ଦା ଏବଂ ଭୋଗରାଇ ବ୍ଲକ୍ର କେତେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ବାଲିଆପାଳ ବ୍ଲକ୍ ଚୌଧୁରୀକୁଦା ଗାଁ ରାସ୍ତା ଉପରେ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି। ବସ୍ତା ଓ ସଦର ବ୍ଲକ୍ର ଏକାଧିକ ଗାଁ ମଧ୍ୟ ଜଳମଗ୍ନ ହୋଇଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।




