ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ସ୍ୱର୍ଗତ ଡ. ମନମୋହନ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାର୍ବଜନୀନ ଜୀବନରେ ତାଙ୍କର ଦୀର୍ଘ ବର୍ଷର ନିଷ୍ଠାପର ସେବା ଏବଂ ଦେଶ ପ୍ରତି ଅବଦାନକୁ ମନେ ପକାଇ ମୋଦୀ ଏହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ (X)ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଜୀଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ସେ ଜନସେବାରେ ଦୀର୍ଘ ସମୟ ବିତାଇଥିଲେ ଏବଂ ନିଷ୍ଠାର ସହ ଦେଶର ସେବା କରିଥିଲେ।”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଯେ ଭାରତର ପ୍ରଗତି ଏବଂ ଜନଜୀବନରେ ଡ. ସିଂହଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ ରହିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ତାଙ୍କ ଦେଶସେବାକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୧୯୩୨ ମସିହା ସେପ୍ଟେମ୍ବର ୨୬ରେ ଜନ୍ମଗ୍ରହଣ କରିଥିବା ଡ. ମନମୋହନ ସିଂହ ଜଣେ ବିଶ୍ୱବିଖ୍ୟାତ ଅର୍ଥନୀତିଜ୍ଞ ଭାବେ ଭାରତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବେ।

୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ନରସିଂହା ରାଓ ସରକାରରେ ଅର୍ଥମନ୍ତ୍ରୀ ଭାବେ ସେ ଆରମ୍ଭ କରିଥିବା ଐତିହାସିକ ଆର୍ଥିକ ସଂସ୍କାର ଭାରତୀୟ ଅର୍ଥନୀତିର କାୟାକଳ୍ପ ବଦଳାଇ ଦେଇଥିଲା। ଅର୍ଥମନ୍ତ୍ରୀ ହେବା ପୂର୍ବରୁ ସେ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଯୋଜନା ଆୟୋଗର ସଦସ୍ୟ ସଚିବ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ମଧ୍ୟରେ ସେ ‘ମନରେଗା’, ‘ସୂଚନା ଅଧିକାର ଆଇନ’ ଏବଂ ‘ଶିକ୍ଷା ଅଧିକାର ଆଇନ’ ଭଳି କାଲଜୟୀ ଯୋଜନା ଓ ଆଇନ ପ୍ରଣୟନ କରି ଗରିବ ଓ ସାଧାରଣ ଲୋକଙ୍କୁ ଶସକ୍ତ କରିଥିଲେ।

ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୨୬ରେ ୯୨ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ସାଧୁତା, ଆକାଡେମିକ୍ ଦୃଷ୍ଟିକୋଣ ଏବଂ ନମ୍ର ବ୍ୟକ୍ତିତ୍ୱ ପାଇଁ ସେ ସଦାସର୍ବଦା ପ୍ରାତଃସ୍ମରଣୀୟ ରହିବେ।