ପାରାଦୀପ: ଓଡ଼ିଶାର ସାମୁଦ୍ରିକ ବ୍ୟବସାୟ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ସୁବର୍ଣ୍ଣ ଅଧ୍ୟାୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରାଦୀପ ପୋର୍ଟକୁ ପ୍ରତିଷ୍ଠିତ ‘ମେଗା ପୋର୍ଟ’ ଭାବେ ଘୋଷଣା କରାଯାଇଛି। ଭାରତୀୟ ପୋର୍ଟ ଆକ୍ଟ, ୨୦୨୫ (Indian Ports Act, 2025) ଅଧୀନରେ ଭାରତର ପୂର୍ବ ଉପକୂଳରେ ଏହି ମାନ୍ୟତା ପାଇଥିବା ପାରାଦୀପ ହେଉଛି ଏକମାତ୍ର ବନ୍ଦର।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଶୁକ୍ରବାର ଦିନ ନିର୍ଦ୍ଧାରିତ କାର୍ଯ୍ୟଦକ୍ଷତା ଓ କ୍ଷମତା ଆଧାରରେ ଏହି ଘୋଷଣା କରିଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ପାଇବା ପରେ ପାରାଦୀପ ଏବେ ଦେଶର ଚାରୋଟି ପ୍ରମୁଖ ମେଗା ପୋର୍ଟ ମଧ୍ୟରେ ସ୍ଥାନ ପାଇଛି। ଏହି ବିଶିଷ୍ଟ ତାଲିକାରେ ଅନ୍ୟ ତିନୋଟି ବନ୍ଦର ହେଉଛି:

  • ଦୀନଦୟାଲ ପୋର୍ଟ (କାଣ୍ଡଲା, ଗୁଜରାଟ)
  • ଜବାହରଲାଲ ନେହେରୁ ପୋର୍ଟ (ନ୍ହାଭା ସେଭା, ମୁମ୍ବାଇ)
  • ମୁନ୍ଦ୍ରା ପୋର୍ଟ (ଗୁଜରାଟ)

ପୂର୍ବ ଉପକୂଳର ଏକ ପ୍ରମୁଖ ସାମୁଦ୍ରିକ ଦ୍ୱାର ଭାବେ ପାରାଦୀପର ଏହି ସଫଳତା ଓଡ଼ିଶାର ଅର୍ଥନୀତିକୁ ନୂତନ ଶିଖରକୁ ନେବ। ଏହାଦ୍ୱାରା ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ନୂତନ ନିବେଶ ସୁଯୋଗ ବୃଦ୍ଧି ପାଇବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଳପଥ ମାଧ୍ୟମରେ କାର୍ଗୋ ପରିବହନ ଏବଂ ବ୍ୟବସାୟିକ କାରବାର ବହୁଗୁଣିତ ହେବ। ସଡ଼କ ଓ ରେଳ କନେକ୍ଟିଭିଟିରେ ସୁଧାର ଆସିବା ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଐତିହାସିକ ଘୋଷଣା ପରେ ପାରାଦୀପ ବନ୍ଦର ସହରରେ ଆନନ୍ଦର ଲହରୀ ଖେଳିଯାଇଛି। ପୋର୍ଟ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ ସଂଘ ଏବଂ ସ୍ଥାନୀୟ ନାଗରିକମାନେ ଏହାକୁ ବାଣ ଫୁଟାଇ ଓ ମିଠା ବାଣ୍ଟି ସ୍ୱାଗତ କରିଛନ୍ତି। ଭାରତର ବର୍ଦ୍ଧିତ ଉପକୂଳବର୍ତ୍ତୀ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ପାରାଦୀପର ଭୂମିକା ଆଗାମୀ ଦିନରେ ଅଧିକ ସୁଦୃଢ଼ ହେବ।