ଭୁବନେଶ୍ୱର: ଓଡ଼ିଶାର ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୪ଟି ବିଭାଗର ୧୧୦୧ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନବନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରି କେବଳ ରୋଜଗାର କିମ୍ବା ଆର୍ଥିକ ସୁରକ୍ଷାର ମାଧ୍ୟମ ନୁହେଁ। ରାଜ୍ୟ ଓ ସମାଜ ପ୍ରତି ଦାୟିତ୍ୱ ପାଳନ କରିବାର ଏହା ଏକ ସୁଯୋଗ। ନବନିଯୁକ୍ତ ଅଧିକାରୀଙ୍କ ଦକ୍ଷତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ପୂରଣରେ ଗୁରୁତ୍ୱପୂର୍ଣ୍ଣ ହେବ।
କେଉଁ ବିଭାଗରେ କେତେ ନିଯୁକ୍ତି
ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଛନ୍ତି। ଏହାସହ ଓଏଏସ୍ରେ ୩୦, ଓଆରଏସ୍ରେ ୪୨, ଓଏଫ୍ଏସ୍ରେ ୪୬, ଓଟିଏଏସ୍ରେ ୬୦ ଏବଂ ସମବାୟ ସେବାରେ ୧୭ ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି।
୧୭ଟି ନିଯୁକ୍ତି ମେଳାରେ ୪୬,୫୭୫ ନିଯୁକ୍ତି
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟ ସରକାରଙ୍କ ଗତ ୨ ବର୍ଷ ୩ ମାସର କାର୍ଯ୍ୟକାଳ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ମେଳାଗୁଡ଼ିକ ମାଧ୍ୟମରେ ମୋଟ ୪୬,୫୭୫ ଜଣ ଯୁବକଯୁବତୀ ସରକାରୀ ସେବାରେ ନିଯୁକ୍ତ ହୋଇଥିବା ସେ କହିଛନ୍ତି।
ଦେଶରେ ପ୍ରଥମ, ବୟସ ଅନୁସାରେ ମାନସିକ ସ୍ୱାସ୍ଥ୍ୟ ଗାଇଡ୍
ହି ଅବସରରେ ଓଡ଼ିଶାରେ ବୟସ ଅନୁସାରେ ପ୍ରସ୍ତୁତ ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚିତ ହୋଇଛି। ପ୍ରାକ୍-ପ୍ରାଥମିକ ସ୍ତରର ଶିଶୁଙ୍କଠାରୁ ଆରମ୍ଭ କରି ଯୁବବର୍ଗ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗକୁ ଧ୍ୟାନରେ ରଖି ଏହି ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଏପରି ପଦକ୍ଷେପ ପ୍ରଥମ ଥର ନିଆଯାଇଥିବା ଦାବି କରାଯାଇଛି।ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ରାଜ୍ୟବାସୀଙ୍କୁ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ନବନିଯୁକ୍ତ ଅଧିକାରୀଙ୍କୁ ପଞ୍ଚସୂତ୍ରୀ ମନ୍ତ୍ର ଦେଇଥିଲେ।




