ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ଗତ ପ୍ରାୟ ୪୬ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବର୍ଷାଜନିତ ବିଭିନ୍ନ ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। କେତେକ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଗଛ ଉପୁଡ଼ିବା ଓ ସଡ଼କ ଦୁର୍ଘଟଣା ମଧ୍ୟ ଘଟିଛି।

ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। ଅନେକ ସ୍ଥାନରେ ସଡ଼କ ଜଳମଗ୍ନ ହୋଇଥିବା ବେଳେ ତଳିଆ ଅଞ୍ଚଳର ଘରଗୁଡ଼ିକରେ ପାଣି ପଶିଛି। ଗଛ ଓ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।

୩୨ ଜିଲ୍ଲାରେ ବନ୍ୟା ଆଶଙ୍କା

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଆକସ୍ମିକ ବନ୍ୟାର ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁଁ ୩୨ଟି ଜିଲ୍ଲାରେ ସତର୍କତା ଜାରି ହୋଇଛି। ଚିତ୍ରକୂଟରେ ମନ୍ଦାକିନୀ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଲକ୍ଷ୍ନୌରେ ଘରେ ପଶିଲା ପାଣି

ରାଜଧାନୀ ଲକ୍ଷ୍ନୌର ଅନେକ ଅଞ୍ଚଳରେ ବର୍ଷାଜଳ ଘର ଭିତରକୁ ପଶିଛି। କେତେକ ରାସ୍ତାରେ ଅଣ୍ଟାଏ ଉଚ୍ଚତା ପର୍ଯ୍ୟନ୍ତ ପାଣି ଜମିଥିବାରୁ ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଯାନବାହନ ଅଭାବ ସହ ଭଡ଼ା ବୃଦ୍ଧି ଯୋଗୁଁ ମଧ୍ୟ ଲୋକେ ସମସ୍ୟାରେ ପଡ଼ିଛନ୍ତି।

ଲକ୍ଷ୍ନୌରେ ଶନିବାର ସକାଳ ପର୍ଯ୍ୟନ୍ତ ୨୧ ଘଣ୍ଟାରେ ୧୨୫.୮ ମିମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ରାଜ୍ୟର କେତେକ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ସହ ବଜ୍ରପାତ ଓ ଝଟକା ପବନର ସମ୍ଭାବନା ପ୍ରକାଶ କରିଛି।

ଘର ଭୁଶୁଡ଼ି ମୃତ୍ୟୁ, ଚାଷଜମି ଜଳମଗ୍ନ

ଲଖୀମପୁର ଖେରୀ, ବାରାବଙ୍କୀ ଓ ଅନ୍ୟାନ୍ୟ ଜିଲ୍ଲାରେ କାନ୍ଥ ଓ ଘର ଭୁଶୁଡ଼ିବା ଯୋଗୁଁ ମୃତ୍ୟୁ ଘଟିଛି। ଆଗ୍ରାରେ ବର୍ଷା ମଧ୍ୟରେ କାର୍‌ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ମଧ୍ୟ ଲୋକଙ୍କ ମୃତ୍ୟୁ ହୋଇଛି। ଆୟୋଧ୍ୟାରେ ଗଛ ପଡ଼ି କାର୍‌ କ୍ଷତିଗ୍ରସ୍ତ ହେବା ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ବର୍ଷା ଓ ପବନରେ ଅନେକ ଅଞ୍ଚଳରେ ଠିଆ ଫସଲ ମଧ୍ୟ ପ୍ରଭାବିତ ହୋଇଛି। ଦେଓରିଆ ଓ ବାରାବଙ୍କୀରେ ଶହ ଶହ ଏକର ଧାନ ଜମି ଜଳମଗ୍ନ ହୋଇଥିବା ରିପୋର୍ଟ ମିଳିଛି।

୨୭ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା

ଆଇଏମ୍‌ଡି ଅନୁସାରେ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବର୍ଷାର ପ୍ରଭାବ ରହିପାରେ। ପୂର୍ବ ଉତ୍ତରପ୍ରଦେଶରେ ଭାରୀରୁ ଅତିଭାରୀ ବର୍ଷା ଏବଂ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ଆଶଙ୍କା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ଏବଂ କେତେକ ସ୍ଥାନରେ ୬୦ କିମି ପର୍ଯ୍ୟନ୍ତ ଝଟକା ପବନ ବହିପାରେ।

ବର୍ଷାଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ମୈଦାନରେ ରହି ସ୍ଥିତି ନିରୀକ୍ଷଣ କରିବା ଏବଂ ଆବଶ୍ୟକ ସ୍ଥଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।