କୋଲକାତା: ନିଜ ସାବତ ଝିଅକୁ ଫୁସୁଲାଇ ନେଇ ଅପହରଣ, ବାଲ୍ୟବିବାହ ଏବଂ କ୍ରମାଗତ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଓଡ଼ିଶାରୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍। ଦୀର୍ଘ ୭ ମାସ ଧରି ପୁଲିସ୍ ଆଖିରେ ଧୂଳି ଦେଇ ଫେରାର ଥିବା ଅଭିଯୁକ୍ତକୁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହାଡ଼ୋଆ ଥାନା ପୁଲିସ୍ ଓଡ଼ିଶାରୁ କାବୁ କରିବାରେ ସଫଳ ହୋଇଛି। ଏହି ଚଢ଼ାଉ ବେଳେ ପୁଲିସ୍ ସମ୍ପୃକ୍ତ ନାବାଳିକାକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ପୁଲିସ୍ ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତିଜଣକ ପଡ଼ୋଶୀ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ଏକ ନାବାଳିକା ଝିଅ ସେମାନଙ୍କ ସହ ରହୁଥିଲା। କିଛି ମାସ ପୂର୍ବେ ମା’ଙ୍କ ଅଜାଣତରେ ସାବତ ବାପା ନାବାଳିକା ଝିଅଟିକୁ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲେ।

ଫେରାର ହେବା ପରେ ଅଭିଯୁକ୍ତ ଜଣକ ନାବାଳିକାକୁ ଜବରଦସ୍ତ ବିବାହ କରିବା ସହ ତାଙ୍କ ଉପରେ କ୍ରମାଗତ ଯୌନ ନିର୍ଯାତନା ଓ ଶାରୀରିକ ଅତ୍ୟାଚାର ଚଳାଇଥିଲେ। ଅଭିଯୋଗ ହେବା ପରେ ଅଭିଯୁକ୍ତ ପଶ୍ଚିମବଙ୍ଗ ଛାଡ଼ି ଓଡ଼ିଶା ପଳାଇ ଆସିଥିଲେ ଏବଂ ନିଜର ପରିଚୟ ଲୁଚାଇ ଆତ୍ମଗୋପନ କରି ରହିଥିଲେ।

ଘଟଣା ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ମା’ ହାଡ଼ୋଆ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ୍ ପୋକସୋ (POCSO) ଆକ୍ଟ, ୨୦୧୨ ଏବଂ ଅନ୍ୟାନ୍ୟ ଜାମିନ୍‌-ବିହୀନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍ ଟାୱାର ଲୋକେସନ୍ ଏବଂ ଗୁପ୍ତ ସୂଚନା ଆଧାରରେ ପୁଲିସ୍ ଅଭିଯୁକ୍ତ ଓଡ଼ିଶାରେ ଥିବା ସୁରାକ୍ ପାଇଥିଲା।

ହାଡ଼ୋଆ ଥାନାର ଏକ ସ୍ୱତନ୍ତ୍ର ପୁଲିସ୍ ଟିମ୍ ଓଡ଼ିଶାରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।

ଉଦ୍ଧାର ହୋଇଥିବା ନାବାଳିକାର ମେଡିକାଲ୍ ପରୀକ୍ଷା କରାଯାଇଛି ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ ତାଙ୍କର ଗୁପ୍ତ ବୟାନ ରେକର୍ଡ କରାଯାଇଛି। ଶନିବାର ଅଭିଯୁକ୍ତକୁ ବସିରହାଟ ସବ୍-ଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ତାଙ୍କୁ ପୁଲିସ୍ ହାଜତକୁ ପଠାଇଛନ୍ତି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ପୁଲିସ୍ ଅଧିକ ତଦନ୍ତ ଚଳାଇଛି।