ଜୟପୁର: କୋରାପୁଟ ଜିଲ୍ଲାର ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଜୟପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଭିନ୍ନ ସ୍ଥାନୀୟ ସମସ୍ୟା ନେଇ ଦାବି ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଚାଷୀଙ୍କ କୃଷି ଋଣ ଛାଡ଼, ଜୟପୁର ପେପର ମିଲ୍‌ର ପୁନରୁଦ୍ଧାର ଏବଂ ଅପର କୋଲାବ ଓ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ପ୍ରସ୍ତାବିତ କାମ ଶେଷ କରିବା ନେଇ ସେ ଦୁଇଟି ପୃଥକ ଦାବିପତ୍ର ଦେଇଥିବା ଜଣାପଡ଼ିଛି।

ଦାବିପତ୍ରରେ କୁହାଯାଇଛି, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କୋରାପୁଟ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ ସହ ତୁରନ୍ତ କ୍ଷତିପୂରଣ ଓ ପୁନଃଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ବିଧାୟକ ଦାବି କରିଛନ୍ତି।

ଜୟପୁରର ଶିଳ୍ପ ଓ ଅର୍ଥନୀତି ସହ ଜଡ଼ିତ ସେବା ପେପର ମିଲ୍‌ର ପୁନରୁଦ୍ଧାର ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି। ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, କାରଖାନାର ଶ୍ରମିକମାନେ ଅଗଷ୍ଟ ୨୦୨୪ରୁ ଦରମା ପାଇନାହାନ୍ତି। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବାବଦ ଅର୍ଥ ଜମା ହୋଇନଥିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ଛୁଟି ନଗଦୀକରଣ ଅର୍ଥ ମଧ୍ୟ ଅଟକି ରହିଥିବା ସେ ଦର୍ଶାଇଛନ୍ତି।

ପେପର ମିଲ୍‌କୁ ପୁଣି କାର୍ଯ୍ୟକ୍ଷମ କରିବା ସହ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବାହିନୀପତି ଦାବି କରିଛନ୍ତି। ଏହି ମିଲ୍‌ର ପୁନରୁଦ୍ଧାର ଦାବି ନେଇ ଚଳିତ ବର୍ଷ ମେ’ରେ ମଧ୍ୟ ତାରା ବାହିନୀପତିଙ୍କ ନେତୃତ୍ୱରେ ଶ୍ରମିକ ସଂଗଠନଗୁଡ଼ିକ ଆନ୍ଦୋଳନ କରିଥିଲେ।ସେହିପରି ଅପର କୋଲାବ ଓ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ନୂଆ କାମରେ ବିଳମ୍ବ ନେଇ ମଧ୍ୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ କହିବା ଅନୁସାରେ, ୨୦୨୨ରୁ ଏ ସମ୍ପର୍କରେ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ୨୦୨୨-୨୩ରୁ ୨୦୨୫-୨୬ ପର୍ଯ୍ୟନ୍ତ ୪ଟି ଆର୍ଥିକ ବର୍ଷ ବିତିଛି। ତଥାପି ପ୍ରସ୍ତାବଗୁଡ଼ିକ ବିଭାଗୀୟ ଯାଞ୍ଚରେ ସୀମିତ ରହିଥିବା ସେ ଅଭିଯୋଗ କରିଛନ୍ତି।

ବାହିନୀପତିଙ୍କ ସୂଚନା ଅନୁଯାୟୀ, ପେପର ମିଲ୍‌ ପ୍ରସଙ୍ଗରେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାରଖାନାକୁ ପୁଣି କାର୍ଯ୍ୟକ୍ଷମ କରିବା ଦିଗରେ ସେହି ବୈଠକରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହେବ।