ମଦୁରାଇ: ତାମିଲନାଡୁ ସରକାରଙ୍କ ପକ୍ଷରୁ ନବଜାତ ଶିଶୁମାନଙ୍କ ପାଇଁ ‘ଥାଇ ମାମନ୍ ଗୋଲ୍ଡ ରିଙ୍ଗ୍’ (ମାମୁ ସୁନା ମୁଦି) ଯୋଜନାର ଶୁଭାରମ୍ଭ ହୋଇଯାଇଛି। ସୋମବାର ମଦୁରାଇସ୍ଥିତ ସରକାରୀ ରାଜାଜୀ ହସ୍ପିଟାଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଯୋଗଦେଇ ନବଜାତ ଶିଶୁମାନଙ୍କୁ ୧ ଗ୍ରାମ ଓଜନର ସୁନା ମୁଦି ପିନ୍ଧାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଧଳା ଧୋତି ଓ ସାର୍ଟ ପରିଧାନ କରି ମୁଖ୍ୟମନ୍ତ୍ରୀ ବିଜୟ ମଞ୍ଚ ଉପରେ ମା’ମାନଙ୍କ ନିକଟରେ ବସି ୩ ଜଣ ନବଜାତ ଶିଶୁଙ୍କ ଆଙ୍ଗୁଠିରେ ସୁନା ମୁଦି ପିନ୍ଧାଇଥିଲେ। ପରେ ସେ ମଞ୍ଚରୁ ଓହ୍ଲାଇ ପ୍ରେକ୍ଷାଗୃହରେ ଉପସ୍ଥିତ ଅନ୍ୟ ୧୨ଟି ପରିବାରର ଶିଶୁଙ୍କୁ କୋଳକୁ ନେଇ ମୁଦି ପ୍ରଦାନ କରିବା ସହ ସେମାନଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ।

କେତେକ ପିତାମାତା ନିଜ ଶିଶୁର ନାମକରଣ କରିବାକୁ ଅନୁରୋଧ କରିବାରୁ, ବିଜୟ ଶିଶୁମାନଙ୍କୁ କୋଳରେ ଧରି ପାରମ୍ପରିକ ରୀତିମତେ ତିନିଥର ନାମ ଉଚ୍ଚାରଣ କରି ନାମକରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ହସ୍ପିଟାଲର ‘ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭେଲପମେଣ୍ଟ ୱାର୍ଡ’ ଗସ୍ତ କରି ଅନ୍ୟ ୧୦ ଜଣ ଶିଶୁଙ୍କୁ ମଧ୍ୟ ମୁଦି ପ୍ରଦାନ କରିଥିଲେ। ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେ ଶିଶୁ ଓ ପିତାମାତାଙ୍କ ସହ ସମୟ ବିତାଇଥିଲେ। ଚେନ୍ନାଇରୁ ମଦୁରାଇ ବିମାନବନ୍ଦରରେ ପହଞ୍ଚିବା ପରଠାରୁ ହସ୍ପିଟାଲ ରାସ୍ତାରେ ହଜାର ହଜାର ସମର୍ଥକ ଓ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପବୃଷ୍ଟି କରି ସ୍ୱାଗତ ଜଣାଇଥିଲେ।

ହସ୍ପିଟାଲ ପରିସରରେ ନର୍ସ, ପାରାମେଡିକାଲ୍ ଷ୍ଟାଫ୍‌ ଏବଂ ଆଗତ ଲୋକଙ୍କ ସହ ବିଜୟ କରମର୍ଦ୍ଦନ କରିବା ସହ ସେଲଫି ମଧ୍ୟ ଉଠାଇଥିଲେ।

ସରକାରୀ ଡାକ୍ତରଖାନାରେ ଜନ୍ମଗ୍ରହଣ କରୁଥିବା ଶିଶୁମାନଙ୍କୁ ୧ ଗ୍ରାମର ସୁନା ମୁଦି ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ତାମିଲନାଡୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।