ଭୁବନେଶ୍ୱର: ମହାନଦୀ ନଦୀ ପ୍ରଣାଳୀରେ ବନ୍ୟା ପରିସ୍ଥିତି ଆଜି ସନ୍ଧ୍ୟାରେ ମୁଣ୍ଡଳିଠାରେ ଚରମ ସୀମାରେ ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୁଣ୍ଡଳି ନିକଟରେ ଜଳପ୍ରବାହ ୮ ଲକ୍ଷ କ୍ୟୁସେକ୍ ତଳେ ରହିବାକୁ ଥିବାରୁ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ପ୍ରକାଶ କରିଛନ୍ତି।
ସୋମବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳିଠାରେ ୭.୮୩ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଜଳପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଥିଲେ ମଧ୍ୟ ଏହା ୮ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିବ ନାହିଁ ବୋଲି ଆକଳନ କରାଯାଇଛି।
ହୀରାକୁଦ ଜଳାଶୟରେ ଜଳସ୍ତର ୬୨୯.୫୨ ଫୁଟ ରହିଛି। ଜଳାଶୟକୁ ସେତେବେଳେ ପ୍ରାୟ ୬.୩୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା।
- ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଡ୍ୟାମର ୨୮ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।
- ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୨ଟି ଗେଟ୍ ଖୋଲାଯାଇଛି।
ତେବେ ଉପରମୁଣ୍ଡରୁ ଜଳପ୍ରବେଶ ପରିମାଣ କମୁଥିବାରୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ନାହିଁ। ଛତିଶଗଡ଼ର ସାରଡିହଠାରେ ଜଳପ୍ରବାହ ୭ ଲକ୍ଷ କ୍ୟୁସେକରୁ କମି ୬ ଲକ୍ଷ କ୍ୟୁସେକରେ ପହଞ୍ଚିଛି, ଯାହା ଫଳରେ ହୀରାକୁଦକୁ ମଧ୍ୟ ଜଳପ୍ରବେଶ ହ୍ରାସ ପାଉଛି।
ତେଲ ନଦୀ ଅବବାହିକାର ପଥର୍ଲାଠାରେ ଜଳସ୍ତର ହ୍ରାସ ପାଉଛି। ରବିବାର ସେଠାରେ ପ୍ରାୟ ୨.୭୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ସୋମବାର ଏହା ୧.୧୬ ଲକ୍ଷ କ୍ୟୁସେକକୁ କମିଆସିଛି।
ଅନ୍ୟପଟେ, ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ୩୦ ମିଲିମିଟରରୁ କମ୍ ରହିଛି। ଫଳରେ ତଳମୁଣ୍ଡରେ ଅତିରିକ୍ତ ଜଳ ଜମିବାର ଭୟ ନାହି
ମହାନଦୀ ଡେଲଟା ଅଞ୍ଚଳ ଅନ୍ତର୍ଗତ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଭାଗରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଜି ସନ୍ଧ୍ୟାରେ ମୁଣ୍ଡଳିଠାରେ ଜଳସ୍ତର ଉଚ୍ଚରେ ଛୁଇଁବା ପରେ ଧୀରେ ଧୀରେ ହ୍ରାସ ପାଇବ। ମହାନଦୀକୁ ଛାଡ଼ି ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ନଦୀବନ୍ଧ ଓ ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି।




