ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (FCRA) ଅଧୀନରେ ପଞ୍ଜୀକରଣ କରାଇଦେବାକୁ ଲାଞ୍ଚ ମାଗିଥିବା ଅଭିଯୋଗରେ ଗୃହ ମନ୍ତ୍ରଣାଳୟର ୨ ଜଣ ଅଧିକାରୀଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌ ଧରିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସମନ୍ୱୟରେ ସେପ୍ଟେମ୍ବର ୨୮ରେ ଉଭୟଙ୍କୁ ଧରାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଧରାପଡ଼ିଥିବା ୨ ଅଧିକାରୀଙ୍କ ମଧ୍ୟରୁ ଜଣେ ସିନିୟର ଆକାଉଣ୍ଟାଣ୍ଟ ଏବଂ ଅନ୍ୟଜଣେ ଆକାଉଣ୍ଟାଣ୍ଟ। ସିନିୟର ଆକାଉଣ୍ଟାଣ୍ଟ ଜଣକ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟର ଫରେନର୍ସ ଡିଭିଜନ୍‌ରେ କାର୍ଯ୍ୟରତ ଅଛନ୍ତି। ଅନ୍ୟ ଅଧିକାରୀ ଏବେ ପେ ଆଣ୍ଡ ଆକାଉଣ୍ଟସ୍‌ ଅଫିସ୍‌ରେ ନିଯୁକ୍ତ ଥିବା ବେଳେ ପୂର୍ବରୁ ଫରେନର୍ସ ଡିଭିଜନ୍‌ରେ କାମ କରିଥିଲେ।

ଗୃହ ମନ୍ତ୍ରଣାଳୟ ଅନୁସାରେ, ଏକ ଆସୋସିଏସନ୍‌ର ଲମ୍ବିତ FCRA ପଞ୍ଜୀକରଣକୁ ଆଗକୁ ବଢ଼ାଇବା ବଦଳରେ ଉଭୟ ଅଧିକାରୀ କଥିତ ଭାବେ ଅବୈଧ ଟଙ୍କା ଦାବି କରିଥିଲେ। ଏ ସମ୍ପର୍କରେ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ପରେ ମାମଲାଟି ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍‌କୁ ଦିଆଯାଇଥିଲା ଏବଂ ପରେ ଉଭୟଙ୍କୁ ଧରାଯାଇଥିଲା।

ପ୍ରାରମ୍ଭିକ ପଚରାଉଚରାରେ ଅଧିକାରୀ ଦ୍ୱୟ କିଛି ଆସୋସିଏସନ୍‌ ସହ ସମ୍ପର୍କରେ ଥିବା ଏବଂ ପଞ୍ଜୀକରଣ ଓ ନବୀକରଣ ପ୍ରକ୍ରିୟାରେ ସହାୟତା କରାଇଦେବା ବଦଳରେ ଅବୈଧ ଟଙ୍କା ନେବା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିବା ମନ୍ତ୍ରଣାଳୟ କହିଛି। ପୂର୍ବରୁ ମଧ୍ୟ ଏଭଳି କାରବାର ହୋଇଥିଲା କି ନାହିଁ, ତାହାର ଯାଞ୍ଚ ଚାଲିଛି।

ମାମଲାରେ ଆଗକୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଦୁର୍ନୀତି ପ୍ରତି ମନ୍ତ୍ରଣାଳୟର ‘ଜିରୋ ଟଲରେନ୍ସ’ ନୀତି ଥିବା ମଧ୍ୟ ସ୍ପଷ୍ଟ କରାଯାଇଛି।

FCRA ସେବା ପାଇଁ ମଧ୍ୟସ୍ଥ ନାହିଁ

ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ FCRA ସମ୍ପର୍କିତ ସମସ୍ତ ସେବା ଅନଲାଇନ୍‌ FCRA ପୋର୍ଟାଲ୍‌ ମାଧ୍ୟମରେ ଦିଆଯାଉଛି। ପଞ୍ଜୀକରଣ, ନବୀକରଣ କିମ୍ବା ଅନ୍ୟ FCRA ସେବା ପାଇଁ କୌଣସି ମଧ୍ୟସ୍ଥ, ଏଜେଣ୍ଟ କିମ୍ବା ବ୍ୟକ୍ତିଙ୍କୁ ଅଧିକୃତ କରାଯାଇନାହିଁ।

୨୦୨୨ରେ ମଧ୍ୟ FCRA ପଞ୍ଜୀକରଣ ଓ ନବୀକରଣ ସମ୍ପର୍କିତ କଥିତ ଦୁର୍ନୀତି ମାମଲାରେ CBI ଗୃହ ମନ୍ତ୍ରଣାଳୟର ଫରେନର୍ସ ଡିଭିଜନ୍‌ର ୬ ଜଣ ଅଧିକାରୀଙ୍କ ସମେତ ୧୪ ଜଣଙ୍କୁ ଗିରଫ କରିଥିଲା। ସେହି ମାମଲାରେ NGO, ମଧ୍ୟସ୍ଥ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ କଥିତ ଲାଞ୍ଚ କାରବାରର ଅଭିଯୋଗ ଥିଲା। ଏହା ଏକ ପୃଥକ ପୁରୁଣା ମାମଲା।