ମିଲୱାକି: କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଶିଳ୍ପପତିମାନଙ୍କୁ ଭାରତରେ ନିବେଶ ଓ ବ୍ୟବସାୟ ସମ୍ପ୍ରସାରଣ ପାଇଁ ଆହ୍ୱାନ ଦେଇଛନ୍ତି। ଆମେରିକା ଗସ୍ତରେ ଥିବା ମନ୍ତ୍ରୀ ଶ୍ରୀ ଗୋୟଲ, ନାସନାଲ ଆସୋସିଏସନ ଅଫ୍ ମ୍ୟାନୁଫାକ୍ଚରର୍ସ ଦ୍ୱାରା ଆୟୋଜିତ ଏକ ବିଜନେସ୍ ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେଇ ଆମେରିକାର କ୍ଷୁଦ୍ର ଓ ବୃହତ୍ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ସମୟରେ ସେ ଭାରତ-ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ସମ୍ପର୍କ, ଭାରତର ବୃହତ୍ ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷ ମାନବସମ୍ବଳ ବିଷୟରେ ଆଲୋକପାତ କରିଥିଲେ।
ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି ଶ୍ରୀ ଗୋୟଲ ଜଣାଇଛନ୍ତି ଯେ, ସେ ଆମେରିକୀୟ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଭାରତରେ ନିଜର ଉପସ୍ଥିତି ଜାହିର କରିବା, ଭାରତୀୟ MSME ସହ ସହଭାଗିତା ସ୍ଥାପନ କରିବା ଏବଂ ଆଡଭାନ୍ସଡ୍ ମ୍ୟାନୁଫାକ୍ଚରିଂରେ ଯୁଗ୍ମ ନିବେଶ କରିବାକୁ ଆମନ୍ତ୍ରିତ କରିଛନ୍ତି। ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତି ସୁଦୃଢ଼ ହେବା ସହ ଏକ ମଜବୁତ୍ ସପ୍ଲାନ୍ ଚେନ୍ ଗଢିଉଠିବ।
ଭାରତ ଏବଂ ଆମେରିକା ମଧ୍ୟରେ ଏକ ସନ୍ତୁଳିତ ଓ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି କୁ ଆଗକୁ ନେବା ପାଇଁ ଶ୍ରୀ ଗୋୟଲ ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରୀଅର୍ଙ୍କ ସହ ବୈଠକ କରିବେ।
ପ୍ରମୁଖ ଆଲୋଚନାର ବିଷୟବସ୍ତୁ:
ମିଲୱାକି, ୱିସକୋନ୍ସିନ୍ରେ ଆୟୋଜିତ G20 ବାଣିଜ୍ୟ ମନ୍ତ୍ରୀ ସମ୍ମିଳନୀରେ ସେ ଯୋଗଦେବେ। ପୂର୍ବରୁ ଫେବୃଆରୀ ୭, ୨୦୨୬ରେ ଦୁଇ ଦେଶ ଦ୍ୱାରା ଜାରି କରାଯାଇଥିବା ଯୁଗ୍ମ ବିବୃତି ଅନୁଯାୟୀ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି କୁ ଚୂଡ଼ାନ୍ତ ରୂପ ଦେବାକୁ ଚେଷ୍ଟା କରାଯିବ। ବିଶ୍ୱ ବାଣିଜ୍ୟ ସଂଗଠନ (WTO) କୁ କେନ୍ଦ୍ରରେ ରଖି ଏକ ନିୟମ-ଆଧାରିତ, ଖୋଲା, ସ୍ୱଚ୍ଛ ଏବଂ ନିରପେକ୍ଷ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିବ।
ଏହି ଗସ୍ତ କାଳରେ କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଗୋୟଲ ମିଲୱାକି ଏବଂ ଚିକାଗୋରେ କୃଷି, ଖୁଚୁରା ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା ଓ ଗ୍ରାହକ ସାମଗ୍ରୀ କ୍ଷେତ୍ରର ବହୁ ପ୍ରମୁଖ ଆମେରିକୀୟ ସିଇଓଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।




