ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍ ରହିଥିବା ଅଭିଯୋଗ କରି ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ବୁଧବାର ସାରା ରାଜ୍ୟରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ପାଳନ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ସହ ୬ ଦଫା ଦାବିପତ୍ର ଉପସ୍ଥାପନ କରାଯାଇଛି।
ଏହି ବନ୍ଦ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକ ହୋଇଥିବା ବେଳେ ଯାତାୟାତ ଓ ବସ୍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (NYCS) ର କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ଓ ପ୍ରତିବାଦ ସଭା କରିଛନ୍ତି। ରାଜଧାନୀ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ଟାୟାର ଜାଳି ସରକାରବିରୋଧୀ ନାରାବାଜି କରିଥିଲେ।
ଆନ୍ଦୋଳନକାରୀଙ୍କ ମୁଖ୍ୟ ଅଭିଯୋଗ ଏହା ଯେ, ସ୍କୁଲ ପାଠ୍ୟପୁସ୍ତକରେ ଅନେକ ଗୁରୁତର ଭୁଲ୍ ରହିଛି, ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ପାଠ୍ୟପୁସ୍ତକ ଭୁଲ୍ର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ।
ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ, ଏହି ବନ୍ଦ ଡାକରାକୁ ସାରା ରାଜ୍ୟର ଜନସାଧାରଣ, ବ୍ୟବସାୟୀ ଏବଂ ଛାତ୍ରସମାଜ ସ୍ୱତଃସ୍ଫୂର୍ତ୍ତ ସମର୍ଥନ ଜଣାଇଛନ୍ତି। ଅନେକ ସ୍ଥାନରେ ଦୂରଗାମୀ ବସ୍ ସେବା ବନ୍ଦ ରହିବା ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିଲେ।
ତେବେ ଜନସାଧାରଣଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ୍ ବିଭାଗ ଭଳି ସମସ୍ତ ଜରୁରୀକାଳୀନ ସେବାର ଗାଡ଼ିଗୁଡ଼ିକୁ ବନ୍ଦରୁ ମୁକ୍ତ ରଖାଯାଇଥିଲା।




