ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଉଡ଼ାଣ ଭରୁଥିବା ‘ଫ୍ଲାଏଦୁବାଇ’ ର ଏକ ବିମାନରେ ଆକାଶମାର୍ଗରେ ଅଭାବନୀୟ ଘଟଣା ଘଟିଛି। ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ କକ୍‌ପିଟ୍‌‌ ଭିତରେ ପ୍ରଚଣ୍ଡ ମାରପିଟ୍ ଓ ଛୁରାମାଡ଼ ଯୋଗୁଁ ବିମାନଟି ସାଉଦି ଆରବର ତବୁକ୍ ଆଞ୍ଚଳିକ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।

ବିମାନରେ ପ୍ରାୟ ୧୮୦ ଜଣ ଇସ୍ରାଏଲୀ ଯାତ୍ରୀ ଯାତ୍ରା କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନଟିର ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

ଫ୍ଲାଇଟ୍-ଟ୍ରାକିଂ ଡାଟା ଅନୁଯାୟୀ, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେନ୍ ଗୁରିୟନ୍ ବିମାନବନ୍ଦର ଅଭିମୁଖେ ଯାଉଥିବା ‘ବୋଇଂ ୭୩୭ ମ୍ୟାକ୍ସ ୮’ (Flight FZ1073) ପ୍ରଥମେ ସାଧାରଣ ଜରୁରୀକାଳୀନ ସିଗ୍ନାଲ ସ୍କ୍ୱାକ୍ କୋଡ୍ ୭୭୦୦ (Code 7700) ପଠାଇଥିଲା।

ତେବେ ଏହାର କିଛି ସମୟ ପରେ ବିମାନରୁ କୋଡ୍ ୭୫୦୦ (Code 7500) ଜାରି କରାଯାଇଥିଲା, ଯାହାକି ବିମାନ ଅପହରଣ କିମ୍ବା ବେଆଇନ ହସ୍ତକ୍ଷେପ ପାଇଁ ସାରା ବିଶ୍ୱରେ ବ୍ୟବହୃତ ହୋଇଥାଏ। ଏହି ଆଲର୍ଟ ପାଇବା ପରେ ବିମାନଟି ହାଇଜ୍ୟାକ୍ ହୋଇଥିବା ସନ୍ଦେହ କରି ଇସ୍ରାଏଲ ପକ୍ଷରୁ ସେନା ଯୁଦ୍ଧବିମାନ ମୋତାୟନ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, ଏହା କୌଣସି ଆତଙ୍କବାଦୀ ଆକ୍ରମଣ କିମ୍ବା ହାଇଜ୍ୟାକ୍ ନଥିଲା, ବରଂ ଦୁଇ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗୁରୁତର ଗଣ୍ଡଗୋଳର ପରିଣାମ ଥିଲା।

ଘଟଣାର ମୁଖ୍ୟ କାରଣ ହେଉଛି; ଗଣ୍ଡଗୋଳ ସମୟରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଏକ ଫୋଲ୍ଡିଂ ଛୁରୀରେ ଆକ୍ରମଣ କରିଥିଲେ। କକ୍‌ପିଟ୍‌ରୁ ଚିତ୍କାର ଶୁଣି ଯାତ୍ରୀ ଓ ବିମାନ କର୍ମଚାରୀମାନେ ଭିତରକୁ ପଶି ଆକ୍ରମଣକାରୀ ପାଇଲଟଙ୍କୁ କାବୁ କରିଥିଲେ। ସିଗ୍ନାଲ ଦେବା ପୂର୍ବରୁ ବିମାନଟି ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧୭,୪୦୦ ଫୁଟ୍ ତଳକୁ ଖସି ଆସିଥିଲା, ଯାହା ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରିଥିଲା।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।