ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଘଟଣାରେ ମୃତ ଛାତ୍ରଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକେ ବାଲିପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଘେରିଥିବା ଜଣାପଡ଼ିଛି।

ଅର୍ଣ୍ଣବ ବାଲିପାଟଣା ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଥିଲେ। ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତର ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ସେ ସ୍କୁଲର ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଆସିଥିଲେ। ମଙ୍ଗଳବାର ସକାଳେ ସେ ଜଣେ ସହପାଠୀଙ୍କ ସହ ନିକଟସ୍ଥ ଭୋଗପୁର ଗାଁର ଏକ ପୋଖରୀକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ।ଉଦ୍ଧାର ପରେ ଅର୍ଣ୍ଣବଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣେ ସହପାଠୀ ମଧ୍ୟ ଗୁରୁତର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ଘଟଣା ପରେ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ଘେରି ପ୍ରତିବାଦ କରିଥିଲେ। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆଲୋଚନା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରିଥିଲେ।

ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାସହ ସମ୍ପୃକ୍ତ ଖେଳ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ରିପୋର୍ଟ ରହିଛି।ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି, ଛାତ୍ରମାନେ କେଉଁ ପରିସ୍ଥିତିରେ ପୋଖରୀକୁ ଯାଇଥିଲେ ଏବଂ ସେ ସମୟରେ ସ୍କୁଲ ପକ୍ଷରୁ କି ପ୍ରକାର ନିରୀକ୍ଷଣ ବ୍ୟବସ୍ଥା ଥିଲା, ତାହା ନେଇ ତଦନ୍ତ ଜାରି ରହିଛି।