ଭୁବନେଶ୍ୱର: ମହାଲେଖାନିୟନ୍ତ୍ରକ (CAG) ଙ୍କ ରିପୋର୍ଟକୁ ଅସ୍ତ୍ର କରି ପୂର୍ବତନ ବିଜେଡି ସରକାର ଉପରେ ବର୍ଷିଛି ଭାରତୀୟ ଜନତା ପାର୍ଟି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଖଣି ଆଇନ (MMDR) ଏବଂ ଜିଲ୍ଲା ଖଣି ଫଣ୍ଡ ଖର୍ଚ୍ଚକୁ ନେଇ ବିଜେଡି ସରକାର ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି। ଏହି ମୁଦ୍ଦାରେ ବିଜେଡ଼ି କୁ ସେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି।

ଅନିଲ କହିଛନ୍ତି ଯେ, ବିତର୍କ ପାଇଁ ବିଜେଡି ନେତାମାନେ ସମୟ ଓ ତାରିଖ ନିର୍ଦ୍ଧାରଣ କରନ୍ତୁ, ବିଜେପି ଯେକୌଣସି ସମୟରେ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି।

ସାମ୍ବାଦିକ ସମ୍ମିଳନୀରେ ସିଏଜି (CAG) ରିପୋର୍ଟର ତଥ୍ୟ ରଖି ବିଜେପି ମୁଖପାତ୍ର କହିଛନ୍ତି ଯେ, ଖଣି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ DMF ଅର୍ଥର ଘୋର ଅପବ୍ୟବହାର କରାଯାଇଛି।

ସିଏଜି ରିପୋର୍ଟର ପ୍ରମୁଖ ଅଭିଯୋଗ ଯେକେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୯୭୬ଟି ଖଣି ଅପ୍ରଭାବିତ ଗାଁରେ ବେଆଇନ ଭାବେ ୯୮୩.୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

  • ପ୍ରଭାବିତ ଗାଁ ଅବହେଳିତ: ଅନ୍ୟପଟେ ବାସ୍ତବରେ ଖଣି ଖନନ ଦ୍ୱାରା ପ୍ରଭାବିତ ହେଉଥିବା ୫୮୪ଟି ଗାଁରେ କୌଣସି ଗୋଟିଏ ହେଲେ DMF ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ନାହିଁ।
  • ବିନା ଅନୁମୋଦନରେ କାର୍ଯ୍ୟ: କେନ୍ଦୁଝର ଜିଲ୍ଲାରେ ଆବଶ୍ୟକୀୟ ସରକାରୀ ଅନୁମୋଦନ ବିନା ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ନେଇ ସିଏଜି ଗୁରୁତର ଆପତ୍ତି ଉଠାଇଛନ୍ତି।

ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ପାର୍କ, ବନ ବାଟିକା ଏବଂ ଇକୋ-ରିଟ୍ରିଟ୍ ଭଳି ପ୍ରକଳ୍ପ ନାଁରେ ୫୧.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକି DMF ନିୟମାବଳୀର ସମ୍ପୂର୍ଣ୍ଣ ଉଲ୍ଲଂଘନ।

ମୌଳିକ ସୁବିଧାରୁ ବଞ୍ଚିତ ଖଣି ପ୍ରଭାବିତ ଲୋକଙ୍କ ନାଁରେ ଆସୁଥିବା ଟଙ୍କାକୁ ପୂର୍ବ ସରକାର ମନମୁଖୀ ଭାବେ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି। ଏହାସହ MMDR ପ୍ରସଙ୍ଗରେ ବିଜେଡି କରୁଥିବା ଆନ୍ଦୋଳନକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏହା ନିଜର ଦୋଷ ଲୁଚାଇବାର ଏକ ପ୍ରୟାସ ବୋଲି କହିଛନ୍ତି।