ଆଗ୍ରା: ମୁଖ୍ୟ ନିର୍ବାଚନ କମିସନର୍‌ (CEC) ଜ୍ଞାନେଶ କୁମାରଙ୍କ ଆଗ୍ରାସ୍ଥିତ ପୈତୃକ ଘର ଆଗରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭକୁ ନେଇ ମାମଲା ହୋଇଛି। ଘରର ଗେଟ୍‌ ଓ କାନ୍ଥରେ ସ୍ପ୍ରେ ପେଣ୍ଟ୍‌ରେ ସ୍ଲୋଗାନ୍‌ ଲେଖିବା ସହ ପରିସରରେ ହଙ୍ଗାମା nn , ଯାଇଥିବା ପୁଲିସ ଅଭିଯୋଗ କରିଛି। ଘଟଣାରେ ୬ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି। ପ୍ରାୟ ୨୦ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଥିବା ସୂଚନା ମିଳିଛି।

ସୋମବାର ବିଜୟ ନଗର ଅଞ୍ଚଳରେ ଥିବା ଜ୍ଞାନେଶ କୁମାରଙ୍କ ପୈତୃକ ଘର ସମ୍ମୁଖରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ବିକ୍ଷୋଭ କରିଥିଲେ। ନିର୍ବାଚନ କମିସନର କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍‌ ରିଭିଜନ୍‌ (SIR)କୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନର ଅଂଶ ଭାବେ ଏହି ବିକ୍ଷୋଭ ହୋଇଥିଲା।

ବିକ୍ଷୋଭ ସମୟରେ କେତେକ ପ୍ରଦର୍ଶନକାରୀ ଘରର ମୁଖ୍ୟ ଗେଟ୍‌ ଓ କାନ୍ଥରେ ଆପତ୍ତିଜନକ ସ୍ଲୋଗାନ୍‌ ଲେଖିଥିବା ପୁଲିସ କହିଛି। ଘଟଣା ପରେ ପୁଲିସ ସେଗୁଡ଼ିକୁ ହଟାଇଥିଲା। ପୁଲିସର କହିବା ଅନୁଯାୟୀ, ବିକ୍ଷୋଭ ପାଇଁ ପୂର୍ବରୁ ଅନୁମତି ନିଆଯାଇନଥିଲା।

ଏହି ଘଟଣାରେ ଅନିଲ ଯାଦବ, ମୁକେଶ ଧଙ୍ଗର, ମନୋଜ ଗୌର, ରାଜେଶ କୁମାର, ରାଜା ଗୌତମ ଓ ପଙ୍କଜ ଚୌଧୁରୀଙ୍କୁ ଗିରଫ କରାଯାଇଛି। ପୁଲିସ ଅନୁଯାୟୀ, ସେମାନଙ୍କ ସମେତ ୮ ଜଣ ନାମଧାରୀ ଏବଂ ଅନ୍ୟ ୧୫-୨୦ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହରିପର୍ବତ ଥାନାରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ପକ୍ଷରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଛି।ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୯, ୧୨୧, ୧୨୬, ୧୩୨, ୧୯୧, ୩୩୩, ୩୫୧(୨) ଓ ୩୫୨ ଲଗାଯାଇଛି। ଏଥିରେ ହତ୍ୟା ଉଦ୍ୟମ, ଗୁରୁତର ଆଘାତ, ଅବୈଧ ଭାବେ ରାସ୍ତା ଅବରୋଧ, ସରକାରୀ କର୍ମଚାରୀଙ୍କୁ ବାଧା, ଦଙ୍ଗା, ଘରେ ଅନଧିକୃତ ପ୍ରବେଶ ଓ ଧମକ ସମ୍ପର୍କିତ ଅଭିଯୋଗ ରହିଛି।

ଅନ୍ୟପକ୍ଷରେ, ଆଗ୍ରା ସହର କଂଗ୍ରେସ ସଭାପତି ଅମିତ ସିଂହ ପୁଲିସ ଲଗାଇଥିବା କେତେକ ଧାରାକୁ ନେଇ ଆପତ୍ତି ଉଠାଇଛନ୍ତି। ତାଙ୍କ ମତରେ ଆନ୍ଦୋଳନ ସମ୍ପର୍କିତ ଧାରାରେ ମାମଲା ସୀମିତ ରହିବା ଉଚିତ ଥିଲା। ଏହି ଧାରାଗୁଡ଼ିକ ହଟାଇବା ଦାବିରେ ଦଳୀୟ ପ୍ରତିନିଧିମଣ୍ଡଳ ପୁଲିସ କମିସନରଙ୍କୁ ଭେଟିବ ବୋଲି ସେ କହିଛନ୍ତି।