ଅମୃତସର: ପଞ୍ଜାବର ତରନ୍ ତାରାନ୍ ଜିଲ୍ଲାସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (BSF) କୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ପ୍ରତ୍ୟୂଷରେ ପାକିସ୍ତାନ ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ବିଏସ୍‌ଏଫ୍ ଜବାନମାନେ ଗୁଳି କରି ନିପାତ କରିଛନ୍ତି।

ତରନ୍ ତାରାନ୍ ଜିଲ୍ଲାର ବିଓପି ରଜୋକେ ଅଞ୍ଚଳରେ ଏହି ଘଟଣା ଘଟିଛି। ପାକିସ୍ତାନ ପାର୍ଶ୍ୱର ଚଟ୍ଟାନୱାଲା ଅଞ୍ଚଳରୁ ଅନ୍ତତଃ ୩ ଜଣ ସନ୍ଦିଗ୍ଧ ବ୍ୟକ୍ତି ଭାରତୀୟ ସୀମା ଆଡ଼କୁ ଆଗେଇ ଆସୁଥିବା ଜବାନମାନେ ଦେଖିବାକୁ ପାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଚେତାବନୀ ଦିଆଯାଇ ସେଠାରେ ଅଟକିବାକୁ କୁହାଯାଇଥିଲା।

ତେବେ ଚେତାବନୀକୁ ନଦେଖି ସେମାନେ ଭାରତୀୟ ସୀମା ଆଡ଼କୁ ମାଡ଼ି ଆସିବାରୁ ବିଏସ୍‌ଏଫ୍ ଜବାନମାନେ ବାଧ୍ୟ ହୋଇ ଗୁଳିଚାଳନା କରିଥିଲେ।

ଗୁଳିଚାଳନାରେ ୨ ଜଣ ଅନୁପ୍ରବେଶକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ବ୍ୟକ୍ତିଜଣକ ପାକିସ୍ତାନ ପଟକୁ ଖସି ପଳାଇବାରେ ସଫଳ ହୋଇଥିଲା। ନିପାତ ହୋଇଥିବା ଅନୁପ୍ରବେଶକାରୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପଞ୍ଜାବ ପୋଲିସ ସହ ସମନ୍ୱୟ ରକ୍ଷା କରି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପଞ୍ଜାବର ୫୫୩ କିଲୋମିଟର ଦୀର୍ଘ ଅନ୍ତର୍ଜାତୀୟ ସୀମାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ଅନୁପ୍ରବେଶ ଉଦ୍ୟମ ଜାରି ରହିଥିବା ବେଳେ ସୁରକ୍ଷା ଏଜେନ୍ସିଗୁଡ଼ିକ ଅତ୍ୟନ୍ତ ସତର୍କ ରହିଛନ୍ତି।

ଏହି ଘଟଣା ସହିତ ପଞ୍ଜାବ ପୋଲିସ ଅମୃତସରରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଯୋଗାଣ କରୁଥିବା ୨ଟି ବଡ଼ ନେଟୱାର୍କକୁ ପରଦାଫାଶ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ୧୦ କିଲୋଗ୍ରାମ ହେରୋଇନ୍ ଏବଂ ୧୦ଟି ପିସ୍ତୋଲ ଜବତ କରାଯାଇଛି।

ପୋଲିସ ମହାନିର୍ଦ୍ଦେଶକ (DGP) ଗୌରବ ଯାଦବଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ବିଦେଶରେ ଥିବା ସ୍ମଗଲରଙ୍କ ସହ ସମ୍ପର୍କରେ ଥିଲେ। ଏନେଇ ଅମୃତସରରେ ୨ଟି ପୃଥକ ମାମଲା (FIR) ରୁଜୁ କରାଯାଇ ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ମଧ୍ୟ ଅମୃତସର ଗ୍ରାମାଞ୍ଚଳ ପୋଲିସ ଗୋଟିଏ ପରିବାରର ୩ ଜଣଙ୍କୁ ଗିରଫ କରି AK-47, AK-56 ରାଇଫଲ୍ ଓ ୧୦ କିଲୋରୁ ଅଧିକ ହେରୋଇନ୍ ଜବତ କରିଥିଲ।