ଦୁବାଇ: ଦୁବାଇରୁ ତେଲ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନର କକପିଟ୍‌ରେ ଘଟିଥିବା ଆକ୍ରମଣକୁ ୟୁଏଇର ଜଣେ ବରିଷ୍ଠ ଅଧିକାରୀ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି ବର୍ଣ୍ଣନା କରିଛନ୍ତି। ୟୁଏଇ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଅନୱର ଗରଗାଶ ଭାରତୀୟ କ୍ୟାପ୍ଟେନ୍‌ ସ୍ମିତ ମଚ୍ଛରଙ୍କ ସାହସ ଓ ଦାୟିତ୍ୱବୋଧକୁ ପ୍ରଶଂସା କରିଛନ୍ତି।

ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ ଆଭିଭ୍‌ ଯାଉଥିବା ବୋଇଂ ୭୩୭ ବିମାନର କକପିଟ୍‌ରେ କ୍ୟାପ୍ଟେନ୍‌ ମଚ୍ଛର ଓ ସହ-ପାଇଲଟ୍‌ଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ସହ-ପାଇଲଟ୍‌ କ୍ୟାପ୍ଟେନ୍‌ଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବିମାନର ଉଚ୍ଚତା ଦ୍ରୁତଗତିରେ ହ୍ରାସ ପାଇଥିଲା।

ଆହତ ହୋଇଥିଲେ ମଧ୍ୟ ମଚ୍ଛର କକପିଟ୍‌ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଏହାପରେ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ କକପିଟ୍‌କୁ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ବିମାନରେ ଥିବା ଅନ୍ୟ ପାଇଲଟ୍‌ମାନେ ନିୟନ୍ତ୍ରଣ ନେଇ ଏହାକୁ ସାଉଦି ଆରବର ତାବୁକ୍‌ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

ବିମାନରେ ଥିଲେ ୧୭୪ ଯାତ୍ରୀ, ୮ କ୍ରୁସାଉଦି ଆରବର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ବିମାନରେ ୧୭୪ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ଆକ୍ରମଣ ପରେ ବିମାନକୁ ତାବୁକ୍‌ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ଉଭୟ ପାଇଲଟ୍‌ଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପରେ ସେମାନଙ୍କୁ ୟୁଏଇକୁ ନିଆଯାଇଛି।

କ୍ୟାପ୍ଟେନ୍‌ ମଚ୍ଛର ଏବେ ଆବୁଧାବିରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ସୁଧାରୁଥିବା ଭାରତୀୟ ମିଶନ୍‌ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଚ୍ଛରଙ୍କ ସହ ଭିଡିଓ କଲ୍‌ରେ କଥା ହୋଇ ତାଙ୍କ ସାହସକୁ ପ୍ରଶଂସା କରିଥିଲେ।

ଆତଙ୍କବାଦୀ ସଂଯୋଗ ନେଇ ତଦନ୍ତ

ଘଟଣାର ପ୍ରକୃତ କାରଣ ଓ ଉଦ୍ଦେଶ୍ୟ ନେଇ ୟୁଏଇର ତଦନ୍ତ ଜାରି ରହିଛି। ୟୁଏଇ ଆଟର୍ଣ୍ଣି ଜେନେରାଲ୍‌ ଏକ ବିଶେଷ ତଦନ୍ତ ଟିମ୍‌ ଗଠନ କରିଛନ୍ତି। ଘଟଣାରେ କୌଣସି ଆତଙ୍କବାଦୀ ଉଦ୍ଦେଶ୍ୟ, ପୂର୍ବ ଯୋଜନା କିମ୍ବା ଅନ୍ୟ କାହାର ନିର୍ଦ୍ଦେଶ ଥିଲା କି ନାହିଁ, ତାହା ଯାଞ୍ଚ କରାଯାଉଛି। ୟୁଏଇ କର୍ତ୍ତୃପକ୍ଷ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅନୁମାନ ଓ ଅପ୍ରମାଣିତ ସୂଚନା ପ୍ରଚାର ନ କରିବାକୁ କହିଛନ୍ତି।

ସହ-ପାଇଲଟ୍‌ଙ୍କୁ ପ୍ରଥମେ ସାଉଦି କର୍ତ୍ତୃପକ୍ଷ ହେପାଜତରେ ନେଇଥିଲେ। ପରେ ତାଙ୍କୁ ୟୁଏଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ପଛରେ ଥିବା ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ଯୋଜନା ନେଇ ତଦନ୍ତ ଚାଲିଛି।