ତେହେରାନ୍ / ୱାଶିଂଟନ୍: ଆମେରିକା ସହ ଚାଲିଥିବା ସଂଘର୍ଷର କୌଣସି ସାମରିକ କିମ୍ବା ଅର୍ଥନୈତିକ ପ୍ରତିବନ୍ଧକ-ଭିତ୍ତିକ ସମାଧାନ ନାହିଁ ବୋଲି ଇରାନ ବୈଦେଶିକ ମନ୍ତ୍ରୀ ସେୟଦ ଆବ୍ବାସ ଆରାଘଚି ରବିବାର ସ୍ପଷ୍ଟ କରିଛନ୍ତି। ବିବାଦର ସମାଧାନ ଏବଂ ଶତ୍ରୁତା ସମାପ୍ତ କରିବା ପାଇଁ କେବଳ କୂଟନୈତିକ ଆଲୋଚନା ହିଁ ଏକମାତ୍ର ପଥ ବୋଲି ସେ ଦୋହରାଇଛନ୍ତି।

ତେହେରାନ୍‌‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଏବଂ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଆରାଘଚି କହିଛନ୍ତି ଯେ, “ଆମେରିକା ବୁଦ୍ଧିମତ୍ତା ଓ ବିଚାରଶୀଳତାର ପଥ ବାଛିବ ବୋଲି ଆମେ ଆଶା କରୁଛୁ। ଯଦି ଆମେରିକା ସାମରିକ ପଥ ଆପଣାଏ, ତେବେ ଇରାନ ନିଜକୁ ରକ୍ଷା କରିବା ପାଇଁ ପୂର୍ବପେକ୍ଷା ଅଧିକ ପ୍ରସ୍ତୁତ ରହିଛି।”

ସିମି-ଅଫିସିଆଲ୍ ତସ୍‌‌ନିମ୍ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ, ମିଳିତ ଜାତିସଂଘ ସାଧାରଣ ସଭା (UNGA)ର ୮୧ତମ ଅଧିବେଶନ କାଳରେ ଇରାନ ପ୍ରତିନିଧି ମଣ୍ଡଳୀ ଏକ ୭ ଦିନିଆ ପ୍ରସ୍ତାବ ରଖିଥିଲେ।

ଷ୍ଟ୍ରେଟ ଅଫ ହୋରମୁଜ, ଏହି ପ୍ରସ୍ତାବରେ ରାଜି ହେଲେ ୭ ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହୋରମୁଜ୍ ପ୍ରଣାଳୀକୁ ପୁନର୍ବାର ଜଳପଥ ପରିବହନ ପାଇଁ ଖୋଲିଦିଆଯିବ। ଇରାନ କୂଟନୈତିକ ସମାଧାନ ପାଇଁ ପ୍ରସ୍ତୁତ ଥିବା ବେଳେ ଯଦି ବିପକ୍ଷ ଗୋଷ୍ଠୀ ପୁଣି ସାମରିକ ସଂଘର୍ଷର ମାର୍ଗ ବାଛନ୍ତି, ତେବେ ଇରାନର ଜବାବ ଆହୁରି ଶକ୍ତ ହେବ।

ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ସହ ଚାଲିଥିବା ଯୁଦ୍ଧ “ଖୁବ୍ ଶୀଘ୍ର” ଶେଷ ହେବ। ଯୁଦ୍ଧ ସମାପ୍ତ ହେବା ମାତ୍ରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବ ବୋଲି ସେ ଆକଳନ କରିଛନ୍ତି।

ଟେକ୍ସାସ ଗସ୍ତ ସମୟରେ ପିଟରବିଲ୍ଟ ମୋଟର୍ସ ସୁବିଧା ପରିଦର୍ଶନ କରି ଟ୍ରମ୍ପ କହିଛନ୍ତି ଯେ, ଇରାନ ବର୍ତ୍ତମାନ ଚରମ ଅର୍ଥନୈତିକ ଓ ସାମରିକ ଚାପ ଦେଇ ଗତି କରୁଛି। “ଇରାନରେ ୩୦୧ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି, ସେମାନଙ୍କ ପାଖରେ ଅର୍ଥ କିମ୍ବା ମୁଦ୍ରା ନାହିଁ। ସେମାନଙ୍କ ସୈନ୍ୟବାହିନୀ, ନୌସେନା ଓ ବାୟୁସେନା ଦୁର୍ବଳ ହୋଇପଡ଼ିଛି। ତେଣୁ ଏହି ସଂଘର୍ଷ ଶୀଘ୍ର ଶେଷ ହେବାକୁ ଯାଉଛି,” ବୋଲି ଟ୍ରମ୍ପ କହିଛନ୍ତି।

ଉଭୟ ପକ୍ଷରୁ ଚାଲିଥିବା ଏହି ବାକ୍‌ଯୁଦ୍ଧ ଓ କୂଟନୈତିକ ପ୍ରଚେଷ୍ଟା ମଧ୍ୟରେ ବିଶ୍ୱ ସମୁଦାୟ ସ୍ଥିତି ଉପରେ ନଜର ରଖିଛନ୍ତି।