ବାଙ୍ଗିରିପୋଷି (ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପୁନାସିଆ ରେଳ ପୋଲ ନିକଟରେ ରବିବାର ଭୋର ସମୟରେ ଏକ ଅଭିନବ ଉପାୟରେ ଚାଲିଥିବା ଗୋ-ଚାଲାଣ ଉଦ୍ୟମକୁ ପୋଲିସ ପଣ୍ଡ କରିଛି। ଏକ ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ବୋଝେଇ ହୋଇ ନିଆଯାଉଥିବା ୨୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଟ୍ୟାଙ୍କରର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ବିଷୋଈ ଆଡ଼ୁ କାଲାବାଡ଼ିଆ ଗ୍ରାମ ଆଡ଼କୁ ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ଗାଡ଼ିଟିକୁ ପିଛା କରିବା ସହ ତୁରନ୍ତ ବାଙ୍ଗିରିପୋଷି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବାଙ୍ଗିରିପୋଷି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁନାସିଆ ରେଳ ପୋଲ ନିକଟରେ ଟ୍ୟାଙ୍କରଟିକୁ ଅଟକାଇଥିଲା। ଗାଡ଼ିଟିକୁ ଯାଞ୍ଚ କରିବା ପରେ ଟ୍ୟାଙ୍କର ଭିତରେ ପ୍ରାୟ ୨୦ରୁ ଅଧିକ ଗୋରୁ ଅତ୍ୟନ୍ତ ଅମାନୁଷିକ ଭାବେ ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଥିଲା।
ପୋଲିସ ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କୁ ହାଜତକୁ ନେଇ ପଚରାଉଚରା ଚଳାଇଛି। ଏହି ଗୋରୁଗୁଡ଼ିକୁ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଆଡ଼େ ଚାଲାଣ କରାଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ବେଆଇନ କାରବାର ପଛରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି।




