ନୂଆଦିଲ୍ଲୀ: ୟୁକ୍ରେନ୍ର ସୂମି ଅଞ୍ଚଳରେ ଭାରତୀୟ କୁସୁମ୍ ଗ୍ରୁପ୍ର ଏକ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ରୁଷ୍ର ଡ୍ରୋନ୍ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ପ୍ଲାଣ୍ଟର ମୁଖ୍ୟ ଢାଞ୍ଚା ପ୍ରାୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଆକ୍ରମଣ ପରେ ଘଟଣାସ୍ଥଳରୁ ବିଶାଳ ଧୂଆଁ ଉଠୁଥିବା ଚିତ୍ର ସାମ୍ନାକୁ ଆସିଛି। ସ୍ଥାନୀୟ ଅଧିକାରୀମାନେ କ୍ଷୟକ୍ଷତି ଓ ମୃତାହତଙ୍କ ସଂଖ୍ୟାର ଆକଳନ କରୁଛନ୍ତି। ଉଦ୍ଧାର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ମୃତାହତଙ୍କ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ।
ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ଲାଣ୍ଟର କ୍ଷତି ପ୍ରାୟ ୪୦୦ କୋଟି ଟଙ୍କା ହୋଇପାରେ। ୟୁକ୍ରେନ୍-ରୁଷ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମଧ୍ୟ ଏହି ପ୍ଲାଣ୍ଟରେ କାର୍ଯ୍ୟ ଜାରି ରହିଥିଲା। ସୂମି ରୁଷ୍ ସୀମା ନିକଟରେ ଥିବାରୁ ଏଠାରେ ରୁଷ୍ର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଘଟଣା ପୂର୍ବରୁ ମଧ୍ୟ ଘଟିଛି।
୧୯୯୪ରୁ ୟୁକ୍ରେନ୍ରେ କୁସୁମ୍ର ଉପସ୍ଥିତି
କୁସୁମ୍ ଗ୍ରୁପ୍ ୧୯୯୪ରେ ଭାରତୀୟ ଔଷଧ ୟୁକ୍ରେନ୍କୁ ରପ୍ତାନି କରୁଥିବା ଏକ ବିତରଣକାରୀ ସଂସ୍ଥା ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ପରେ ୨୦୦୨ରେ ନିଜସ୍ୱ ବ୍ରାଣ୍ଡର ଔଷଧ ବଜାରକୁ ଆଣିବା ସହ ଏହା ଉତ୍ପାଦନ କ୍ଷେତ୍ରକୁ ପ୍ରବେଶ କରିଥିଲା। ୨୦୦୭ରେ ଭାରତରେ ଉତ୍ପାଦନ ୟୁନିଟ୍ ଖୋଲିବା ପରେ ୨୦୦୯ରେ ୟୁକ୍ରେନ୍ର ସୂମିରେ ପ୍ଲାଣ୍ଟ ସ୍ଥାପନ କରିଥିଲା।
କମ୍ପାନୀ ୫୦ରୁ ଅଧିକ ଔଷଧ ଉତ୍ପାଦନ କରୁଥିବାବେଳେ ଏଥିରୁ ଅଧିକାଂଶ ଜେନେରିକ୍ ଔଷଧ। ୟୁକ୍ରେନ୍ ସମେତ ଉଜବେକିସ୍ତାନ, କାଜାଖସ୍ତାନ ଓ ଫିଲିପାଇନ୍ସ ଭଳି ୯ରୁ ଅଧିକ ଦେଶରେ ଏହାର ଉତ୍ପାଦ ବିକ୍ରି ହେଉଛି। କମ୍ପାନୀ ନିଜକୁ ଭାରତୀୟ ମୂଳ ସହିତ ଏକ ୟୁକ୍ରେନୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାବେ ପରିଚୟ ଦେଇଥାଏ।
ଜେଲେନସ୍କିଙ୍କ ନିନ୍ଦା
ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କି ଆକ୍ରମଣକୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ରାତିରେ ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ୧୩୫ଟି ଆକ୍ରମଣକାରୀ ଡ୍ରୋନ୍ ଲଞ୍ଚ କରାଯାଇଥିଲା, ଯେଉଁଥିରୁ ୫୦ରୁ ଅଧିକ ଜେଟ୍ ଚାଳିତ ଡ୍ରୋନ୍ ଥିଲା।




