ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ଓ ନିଶାସକ୍ତ ଅଭ୍ୟାସ ଉପରେ କଡ଼ା ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି। ରାଜ୍ୟର ନୂତନ ଅବକାରୀ ନୀତି ଅଧୀନରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ‘ଜୀବନ ଜିନ୍ଦାବାଦ-୨.୦’ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ‘ନିଶା ମୁକ୍ତ ଭାରତ’ ୱେବସାଇଟ୍ର ଶୁଭାରମ୍ଭ କରିଛନ୍ତି। ନିଶାଦ୍ରବ୍ୟ କାରବାର ବିରୋଧରେ ସରକାର ‘ଜିରୋ ଟୋଲେରାନ୍ସ’ ନୀତି ଆପଣାଇଛନ୍ତି ବୋଲି ସେ ଦୋହରାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଶାସକ୍ତ ବ୍ୟକ୍ତି ଗୋଟିଏ ପରିବାର ଓ ସମାଜକୁ ଛାରଖାର କରିଦିଏ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ନିଶାମୁଖରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ଆଡ଼କୁ ଆକୃଷ୍ଟ କରିବା। ‘ଜୀବନ ଜିନ୍ଦାବାଦ’ର ପ୍ରଥମ ପର୍ଯ୍ୟାୟ ଆତ୍ମହତ୍ୟା ପ୍ରବୃତ୍ତି ହ୍ରାସ କରିବାରେ ସଫଳ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଯୁବସମାଜକୁ ନିଶାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବେଆଇନ୍ ଓ ନକଲି ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସିଧାସଳଖ ଦାୟୀ କରାଯିବ। ଗଞ୍ଜେଇ, ଅଫିମ, ହେରୋଇନ୍, କୋକେନ୍, ବ୍ରାଉନ୍ସୁଗାର ଓ ସିନ୍ଥେଟିକ୍ ଡ୍ରଗ୍ସ ଭଳି ମାରାତ୍ମକ ନିଶା କାରବାର ବିରୋଧରେ ବ୍ୟାପକ ଚଢ଼ାଉ କରିବାକୁ ସେ ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଗୁଟ୍ଖା, ତମାଖୁ ଓ ନିକୋଟିନ୍ ଯୁକ୍ତ ପାନମସଲା ଉପରେ କଟକଣା ଏବଂ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସଂକଳ୍ପ ନେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ “ନିଶାକୁ ନା, ଜୀବନକୁ ହଁ” ବାର୍ତ୍ତାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।




