ନୂଆଦିଲ୍ଲୀ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଏବଂ ୨୦୧୯ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡର ସ୍ୱତନ୍ତ୍ର ତଦନ୍ତ ସହ ବିଭିନ୍ନ ରାଜନୈତିକ ନେତାଙ୍କ ନାମରେ ଏଫଆଇଆର (FIR) ରୁଜୁ ଦାବି କରି ଦାୟର ହୋଇଥିବା ସମସ୍ତ ପିଟିସନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।
ବିଚାରପତି ବିବେକ ଚୌଧୁରୀ ଏବଂ ବିଚାରପତି ମନୋଜ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) କିମ୍ବା ଅଦାଲତଙ୍କ ନଜରଦାରୀରେ କୌଣସି ତଦନ୍ତ ଆବଶ୍ୟକ ନାହିଁ ବୋଲି କହି ପିଟିସନ୍ଗୁଡ଼ିକୁ ଖାରଜ କରିଛନ୍ତି।
ହାଟ ଭାଷଣ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମାମଲା
ଦିଲ୍ଲୀ ଦଙ୍ଗା ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଓ ଘୃଣାସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗରେ ବିଜେପି ନେତା କପିଲ ମିଶ୍ର, ଅନୁରାଗ ଠାକୁର, ପରବେଶ ବର୍ମା ଏବଂ ଅଭୟ ବର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆବେଦନ କରାଯାଇଥିଲା। ଅନ୍ୟପଟେ, ‘ଲୟର୍ସ ଭଏସ’ ପକ୍ଷରୁ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଦ୍ରା, ଆପ୍ ନେତା ମନୀଷ ସିସୋଦିଆ, ଅମାନତୁଲ୍ଲା ଖାନ, ଏଆଇଏମଆଇଏମ (AIMIM) ନେତା ଆସାଦୁଦ୍ଦିନ୍ ଓୱେସି ଏବଂ ୱାରିସ ପଠାନଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।
ସେହିପରି ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ ଓ ର଼୍ୟାପିଡ୍ ଆକ୍ସନ୍ ଫୋର୍ସ (RAF)ର କାର୍ଯ୍ୟଶୈଳୀକୁ ନେଇ ସିପିଆଇ(ଏମ) ନେତ୍ରୀ ବୃନ୍ଦା କାରାଟ ଏବଂ ସିଏଏ (CAA) ବିରୋଧୀ ଆନ୍ଦୋଳନରେ ବିଦେଶୀ ଫଣ୍ଡିଂ ଅଭିଯୋଗ ଆଣି ଏନଆଇଏ (NIA) ତଦନ୍ତ ଦାବିରେ ଅଜୟ ଗୌତମଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି।
୨୦୧୯ ଡିସେମ୍ବରରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ସମୟରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସର ଅତ୍ୟାଚାର ଏବଂ ହିଂସା ନେଇ ଛାତ୍ର ଓ କର୍ମୀମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ବାହାର ପୋଲିସ ଅଫିସରଙ୍କୁ ନେଇ ଏସଆଇଟି ଗଠନ କରିବାକୁ ଦାବି ହୋଇଥିଲା। ତେବେ ହାଇକୋର୍ଟ ଏହି ସମସ୍ତ ପିଟିସନକୁ ଖାରଜ କରି ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗାରେ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଶହ ଶହ ଲୋକ ଆହାତ ହୋଇଥିଲେ। ଏହି ମାମଲାରେ ପୂର୍ବରୁ ମଧ୍ୟ ବିଜେପି ନେତା କପିଲ ମିଶ୍ରଙ୍କ ବିରୋଧରେ ପୁନଃ ତଦନ୍ତ ନିର୍ଦ୍ଦେଶକୁ ସ୍ୱତନ୍ତ୍ର କୋର୍ଟ ରଦ୍ଦ କରିସାରିଛନ୍ତି।




