ଭଦ୍ରକ: ଜାଲ୍‌ ତଥ୍ୟ ବ୍ୟବହାର କରି ମୋବାଇଲ୍‌ ସିମ୍‌କାର୍ଡ ଜାରି କରିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳର ଜଣେ ପିଓଏସ୍‌ (Point of Sale) ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ପିଓଏସ୍‌ କୋଡ୍‌ ମାଧ୍ୟମରେ ଜାରି ହୋଇଥିବା ୯ଟି ମୋବାଇଲ୍‌ ନମ୍ବର ପରେ ସାଇବର ଠକେଇରେ ବ୍ୟବହୃତ ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଅଭିଯୋଗ ଭିତରଦିଗପାଟଣା (ଭୁବନ) ଅଞ୍ଚଳର ପିଓଏସ୍‌ ଏଜେଣ୍ଟ ସୌମ୍ୟ ରଞ୍ଜନ ଦେ’ଙ୍କ ବିରୋଧରେ ରହିଛି। ତାଙ୍କ ପିଓଏସ୍‌ କୋଡ୍‌ରେ ୯ଟି ସିମ୍‌ ଜାରି ହୋଇଥିଲା। ସମ୍ପୃକ୍ତ ନମ୍ବରଗୁଡ଼ିକର ଗ୍ରାହକ ଆବେଦନ ତଥ୍ୟ ଯାଞ୍ଚ ବେଳେ ପୁଲିସ ବିଭିନ୍ନ ଅସଙ୍ଗତି ଠାବ କରିଥିଲା।

କେତେକ ସିମ୍‌ର ଗ୍ରାହକଙ୍କ ତଥ୍ୟରେ ପିତାଙ୍କ ନାମ ସ୍ଥାନରେ ଅର୍ଥହୀନ ଶବ୍ଦ ଲେଖାଯାଇଥିବା ଯାଞ୍ଚରୁ ଜଣାପଡ଼ିଥିଲା। ଏହି ନମ୍ବରଗୁଡ଼ିକ ଯେଉଁ ବ୍ୟକ୍ତିଙ୍କ ନାମରେ ଆକ୍ଟିଭେଟ୍‌ ହୋଇଥିଲା, ସେମାନେ ଏ ସମ୍ପର୍କରେ ଜାଣିନଥିବା ପୁଲିସକୁ କହିଥିବା ସୂଚନା ମିଳିଛି।

୯ ନମ୍ବରରେ ଠକେଇ ଅଭିଯୋଗସନ୍ଦେହ ହେବା ପରେ ପୁଲିସ ସମ୍ପୃକ୍ତ ୯ଟି ମୋବାଇଲ୍‌ ନମ୍ବରର ଅପରାଧିକ ବ୍ୟବହାର ନେଇ ଯାଞ୍ଚ କରିଥିଲା। ଏହି ନମ୍ବରଗୁଡ଼ିକୁ ବ୍ୟବହାର କରି ସାଇବର ଠକେଇ ହୋଇଥିବା ନେଇ ନ୍ୟାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ୍‌ (NCRP)ରେ ପୂର୍ବରୁ ଏକାଧିକ ଅଭିଯୋଗ ଥିବା ତଦନ୍ତରୁ ସାମ୍ନାକୁ ଆସିଛି।

ପୁଲିସ ଅଭିଯୁକ୍ତ ସୌମ୍ୟ ରଞ୍ଜନଙ୍କ ଠିକଣାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ। ସେ ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଭଦ୍ରକ ସାଇବର ଥାନା ଇନ୍ସପେକ୍ଟର ମାନସ ରଞ୍ଜନ ବିଶ୍ୱାଳଙ୍କ ଲିଖିତ ଅଭିଯୋଗ ଆଧାରରେ ଅକ୍ଟୋବର ୧ ତାରିଖରେ ମାମଲା ରୁଜୁ ହୋଇଛି। ମାମଲା ନମ୍ବର ୧୯/୨୦୨୬। ଭାରତୀୟ ନ୍ୟାୟ ସଂହିତା ସହ ଆଇଟି ଆକ୍ଟ ଏବଂ ଟେଲିକମ୍ୟୁନିକେସନ୍‌ ଆକ୍ଟର ବିଭିନ୍ନ ଧାରାରେ ମାମଲା ହୋଇଛି।

ଜାଲ୍‌ ତଥ୍ୟ ଦେଇ ସିମ୍‌ ଜାରି କରିବା ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ିକ ସାଇବର ଠକେଇରେ ବ୍ୟବହୃତ ହେବା ମଧ୍ୟରେ କି ସମ୍ପର୍କ ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।