ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ କାର୍ଯ୍ୟାଳୟ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ବିରୋଧରେ ଉଠିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଏବେ ସିବିଆଇ କରିବ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ସହ ଦୁଇ ମାସ ମଧ୍ୟରେ ତଦନ୍ତର ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ମାମଲାରେ ଇଡି ପକ୍ଷରୁ ପଞ୍ଜାବ ପୁଲିସ ଡିଜିଙ୍କୁ ପଠାଯାଇଥିବା ତିନିଟି ଚିଠିରେ ସରକାରୀ ବ୍ୟବସ୍ଥାରେ କଥିତ ହସ୍ତକ୍ଷେପ ଓ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଉଠାଯାଇଥିଲା। ଟ୍ରାନ୍ସଫର-ପୋଷ୍ଟିଂ, ଅନୁକୂଳ ସରକାରୀ ନୀତି ଓ ଟେଣ୍ଡର ହାସଲ କରିବା ପାଇଁ ଟଙ୍କା କାରବାର ହେଉଥିବା ନେଇ ଅଭିଯୋଗ ରହିଥିଲା।
ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ରାଜବୀର ସିଂହ ଘୁମନ୍ଙ୍କ ନାମ ମଧ୍ୟ ଆସିଥିଲା। ଇଡିର ତଥ୍ୟ ଅନୁସାରେ, ନିତିନ ଗୋହଲ ନାମକ ଜଣେ ବ୍ୟକ୍ତି ସରକାରୀ ସୁବିଧା ହାସଲ କରିବାକୁ ଚାହୁଁଥିବା ଲୋକଙ୍କ ଓ ଓଏସ୍ଡିଙ୍କ ମଧ୍ୟରେ ମଧ୍ୟସ୍ଥ ଭାବେ କାମ କରୁଥିବା ଅଭିଯୋଗ ହୋଇଥିଲା।
ଟ୍ରାନ୍ସଫର-ପୋଷ୍ଟିଂ, ଗୋପନୀୟ ସରକାରୀ ଦସ୍ତାବିଜରେ ପହଞ୍ଚ, ଅସ୍ତ୍ର ଲାଇସେନ୍ସ ଓ ବିଭିନ୍ନ ସରକାରୀ ଅନୁମତି ସମ୍ପର୍କରେ ମଧ୍ୟ ଅଭିଯୋଗ ଉଠିଥିଲା।ଏହି ମାମଲାରେ ଆଇନଜୀବୀ ନିଖିଲ ସରାଫ୍ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଇଡି ପକ୍ଷରୁ ପଠାଯାଇଥିବା ଚିଠି ଉପରେ ପଞ୍ଜାବ ପୁଲିସ ଆବଶ୍ୟକ ପଦକ୍ଷେପ ନେଇନଥିବା ଅଭିଯୋଗ କରି ସେ ସ୍ୱାଧୀନ ତଦନ୍ତ ଦାବି କରିଥିଲେ।
ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି, ଇଡି ଦ୍ୱାରା ଦିଆଯାଇଥିବା ତଥ୍ୟ ପ୍ରଥମ ଦୃଷ୍ଟିରେ ଗୁରୁତର ଅଭିଯୋଗ ଆଡ଼କୁ ଇଙ୍ଗିତ କରୁଛି। ଏହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଆବଶ୍ୟକ। ଅଦାଲତ ପଞ୍ଜାବ ପୁଲିସ ଏପର୍ଯ୍ୟନ୍ତ ମାମଲାକୁ ଯେଉଁଭଳି ହାତଳାଇଛି, ସେଥିରେ ସନ୍ତୋଷ ପ୍ରକାଶ କରିନଥିଲେ। ତେଣୁ ମାମଲାକୁ ସିବିଆଇକୁ ଦେବା ନିଷ୍ପତ୍ତି ନିଆଯାଇଛି।
ଅଦାଲତ ସିବିଆଇକୁ ମାମଲାରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି। ଏଥିସହ ପଞ୍ଜାବ ସରକାର ଓ ପୁଲିସକୁ ତଦନ୍ତରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି।
ତେବେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପୂର୍ବରୁ ଖଣ୍ଡନ କରିଥିଲେ। ଅଭିଯୋଗରେ କୌଣସି ସତ୍ୟତା ନଥିବା ସେ କହିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ରାଜନୈତିକ ବିରୋଧୀଙ୍କ ବିରୋଧରେ ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ।




