ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଜଣେ ନବବିବାହିତାଙ୍କୁ ଗୁଣିଗାରେଡ଼ି ଆଳରେ ଚାରି ଦିନ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ପୀଡ଼ିତାଙ୍କ କହିବା ଅନୁସାରେ, ବିବାହ ପରେ ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ସମସ୍ୟାର ସମାଧାନ କରି ସ୍ୱାମୀଙ୍କୁ ପୁଣି ନିଜ ପାଖକୁ ଫେରାଇ ଆଣିବା ଆଶାରେ ସେ ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗାଁର ଜଣେ ଗୁଣିଆଙ୍କ ନିକଟକୁ ଯାଇଥିଲେ।
ଅଭିଯୋଗ ଅନୁଯାୟୀ, ଗୁଣିଆ ମହିଳାଙ୍କ ସମସ୍ୟା ଦୂର କରି ସ୍ୱାମୀଙ୍କୁ ଫେରାଇ ଆଣିବାକୁ କହିଥିଲେ। ଏଥିପାଇଁ ଗତ ଗୁରୁବାର ରାତିରେ ମନ୍ତ୍ରତନ୍ତ୍ର କରିବାର କଥା କହି ତାଙ୍କୁ ନେଇଥିବା ଅଭିଯୋଗ ହୋଇଛି।
ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରତନ୍ତ୍ର କରିବା ଆଳରେ ଗୁଣିଆ ତାଙ୍କ ସହ ଚାରି ଦିନ ଓ ଚାରି ରାତି ଦୁଷ୍କର୍ମ କରିଥିଲେ। ଚାରି ଦିନ ପରେ ମଧ୍ୟ ସ୍ୱାମୀଙ୍କୁ ଫେରାଇ ଆଣିବାରେ ସେ ବିଫଳ ହେବା ପରେ ମହିଳାଙ୍କୁ ଘରକୁ ଫେରିଯିବାକୁ କହିଥିବା ଅଭିଯୋଗ ରହିଛି।
ପରେ ଅସୁସ୍ଥ ଅନୁଭବ କରିଥିବା ମହିଳା ନିଜେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ୍ ଥାନାକୁ ସୂଚନା ଦିଆଯାଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ପୁଲିସ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛି।




