ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କୁ ପରବର୍ତ୍ତୀ ଚିଫ୍ ଅଫ୍ ଦ ଏୟାର ଷ୍ଟାଫ୍ (CAS) ଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ସେ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଅକ୍ଟୋବର ୩୧ ତାରିଖ ଅପରାହ୍ଣରୁ ସେ ଏୟାର ଚିଫ୍ ମାର୍ଶାଲ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ।
ଆଶୁତୋଷ ଦୀକ୍ଷିତ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେବେ। ଅମର ପ୍ରୀତ ସିଂହ ଅକ୍ଟୋବର ୩୧ରେ ଅବସର ନେବେ। ଦୀକ୍ଷିତ ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ହେବେ।
ପ୍ରାୟ ୪ ଦଶନ୍ଧିର ସାମରିକ ଅଭିଜ୍ଞତା
୧୯୮୬ ଡିସେମ୍ବର ୬ରେ ଫାଇଟର୍ ଷ୍ଟ୍ରିମ୍ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଦୀକ୍ଷିତଙ୍କର ପ୍ରାୟ ୪ ଦଶନ୍ଧିର ସେବା ଅଭିଜ୍ଞତା ରହିଛି। ସେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ୍ ଏବଂ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ପୂର୍ବତନ ଛାତ୍ର।
ସେ ଜଣେ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଏବଂ କ୍ୱାଲିଫାଏଡ୍ ଫ୍ଲାଇଂ ଇନ୍ଷ୍ଟ୍ରକ୍ଟର୍। ତାଙ୍କର ୩୫୦୦ରୁ ଅଧିକ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ମିରାଜ୍-୨୦୦୦, ମିଗ୍ର ବିଭିନ୍ନ ଭାରିଆଣ୍ଟ, ଜାଗୁଆର୍, ତେଜସ୍, ହକ୍ ଓ ଅନ୍ୟାନ୍ୟ ବିମାନ ଉଡ଼ାଇଛନ୍ତି।
ଅପରେସନ୍ ସଫେଦ ସାଗରରୁ ସିନ୍ଦୂର ପର୍ଯ୍ୟନ୍ତଦୀକ୍ଷିତଙ୍କ ସାମରିକ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ଓ ସାମରିକ ଅଭ୍ୟାସର ଅଭିଜ୍ଞତା ରହିଛି। ୧୯୯୯ର କାରଗିଲ୍ ଯୁଦ୍ଧ ସମୟର ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ ଏବଂ ଅପରେସନ୍ ସିନ୍ଦୂର ସହ ତାଙ୍କର ସମ୍ପୃକ୍ତତା ରହିଛି।
ସେ ମିରାଜ୍-୨୦୦୦ ସ୍କ୍ୱାଡ୍ରନ୍, ପଶ୍ଚିମ ସେକ୍ଟରର ଏକ ଫ୍ରଣ୍ଟଲାଇନ୍ ଫାଇଟର୍ ବେସ୍ ଏବଂ ଦକ୍ଷିଣ ସେକ୍ଟରର ଏକ ପ୍ରମୁଖ ଫାଇଟର୍ ଟ୍ରେନିଂ ବେସ୍ର କମାଣ୍ଡ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି
ବାୟୁସେନା ଉପମୁଖ୍ୟ ହେବା ପୂର୍ବରୁ ସେ ଚିଫ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ (CISC) ଏବଂ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି। ଦେଶର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି ଓ ବିମାନ ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟରେ ମଧ୍ୟ ତାଙ୍କ ଭୂମିକା ରହିଛି।
ଦୀକ୍ଷିତଙ୍କୁ ପରମ ବିଶିଷ୍ଟ ସେବା ପଦକ (PVSM), ଅତି ବିଶିଷ୍ଟ ସେବା ପଦକ (AVSM), ବାୟୁସେନା ପଦକ (VM) ଏବଂ ବିଶିଷ୍ଟ ସେବା ପଦକ (VSM) ଭଳି ସମ୍ମାନରେ ପୁରସ୍କୃତ କରାଯାଇଛି।




