ଭୁବନେଶ୍ୱର: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପୁଣି ଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ତାଙ୍କର ସ୍ପେଶାଲ ଲିଭ୍ ପିଟିସନ୍ (SLP) ଖାରଜ ହେବା ପରେ ସେ ଏହି ଆଇନଗତ ଆବେଦନ କରିଛନ୍ତି।

ପୂର୍ବରୁ ଆଦାଲତରେ ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ବିଦ୍ୟାଭାରତୀ ସିଆରପିସି (CrPC)ର ଧାରା ୨୦୫ ଅଧୀନରେ ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ଆବେଦନ କରିଥିଲେ। ମାତ୍ର ୨୦୨୩ ଜୁନ୍ ୨୩ ଏବଂ ୨୦୨୪ ମାର୍ଚ୍ଚ ୧୧ରେ ଏସଡିଜେଏମ୍ କୋର୍ଟ ଏହି ପିଟିସନ୍‌ଗୁଡ଼ିକୁ ଖାରଜ କରିଦେଇଥିଲେ।

ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଏଥିସହ ଅକ୍ଟୋବର ୧ ସୁଦ୍ଧା ପାରଳାଖେମୁଣ୍ଡି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟରେ ଏସଏଲପି ଦାୟର କରିଥିଲେ। ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ଅଗ୍ରିମ ଜାମିନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ, ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଗିରଫଦାରୀ ଆଶଙ୍କା ଥିବାରୁ ବିଦ୍ୟାଭାରତୀ ଏବେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।