ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଏକ ହିନ୍ଦୁ ମନ୍ଦିରରେ ଅନାଚାର ଓ ମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଗଭୀର ଅସନ୍ତୋଷ ଏବଂ ଆଶଙ୍କା ସୃଷ୍ଟି ହୋଇଛି। ସିନ୍ଧ ପ୍ରଦେଶର ନଗରପାର୍କର ସ୍ଥିତ ରାଠୀ ଗ୍ରାମରେ ଥିବା ‘ମାତା ଯୋଗ ମାୟା’ ମନ୍ଦିରରେ ଏହି ଆକ୍ରମଣ ଘଟିଛି। ଗର୍ଭଗୃହ ମଧ୍ୟରେ ଥିବା ଏକାଧିକ ଦେବଦେବୀଙ୍କ ପ୍ରତିମା ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଯେତେବେଳେ ମନ୍ଦିରର ରକ୍ଷଣାବେକ୍ଷଣକାରୀ ମନ୍ଦିର ଦ୍ୱାର ଖୋଲିଥିଲେ, ସେତେବେଳେ ପ୍ରତିମାଗୁଡ଼ିକ ଭଙ୍ଗାଯାଇ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଏବଂ ସମ୍ପ୍ରଦାୟର ନେତାମାନଙ୍କୁ ଏ ନେଇ ସୂଚନା ଦେଇଥିଲେ।

ପାକିସ୍ତାନ ଦରାବର ଇତ୍ତେହାଦ୍ NGOର ଅଧ୍ୟକ୍ଷ ଶିବ କାଚି କହିଛନ୍ତି ଯେ, ସୋମବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ପଶି ଏହି କାଣ୍ଡ ଭିଆଇଛନ୍ତି। ଗର୍ଭଗୃହରେ ଥିବା ଅନେକ ମୂର୍ତ୍ତିକୁ ନିଷ୍ଠୁର ଭାବେ ଭାଙ୍ଗି ଦିଆଯାଇଛି, ଯାହା ଦ୍ୱାରା ସ୍ଥାନୀୟ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚିଛି।

ଏହି ଆକ୍ରମଣ ପରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିମାନେ ଘଟଣାର ପୂର୍ଣ୍ଣାଙ୍ଗ ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏଥିସହ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଅଳ୍ପସଂଖ୍ୟକଙ୍କ ଉପାସନା ପୀଠଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିବେଦନ କରାଯାଇଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ଘଟିଥିବା ଏହି ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ଅଭିଯୁକ୍ତ କିପରି ମନ୍ଦିର ଭିତରକୁ ପ୍ରବେଶ କଲା ଏବଂ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ପଚରାଉଚୁରା ଜାରି ରଖିଛି।