କଟକ: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଅକ୍ଟୋବର ୮ ତାରିଖରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ହଜାର ହଜାର ଶିକ୍ଷକ ପ୍ରଶିକ୍ଷଣ ଆଶାୟୀଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା। ତେବେ ଏହି ଆଶଙ୍କା ଉପରେ ବିରାମ ଲଗାଇ ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ସ୍ପଷ୍ଟ କରିଛି ଯେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ D.El.Ed ପରୀକ୍ଷା-୨୦୨୬ ଅନୁଷ୍ଠିତ ହେବ ଏବଂ ସମୟସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।
ବୋର୍ଡ ପକ୍ଷରୁ ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୮ ତାରିଖରେ ହେବାକୁ ଥିବା FC-1 (CIE) ପେପର ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ପାଳିରେ ଅନୁଷ୍ଠିତ ହେବ। ସମ୍ଭାବ୍ୟ ଗମନାଗମନ ସମସ୍ୟା ଓ ଶେଷ ମୁହୂର୍ତ୍ତର ବିଳମ୍ବକୁ ଏଡ଼ାଇବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ସକାଳ ୮ଟା ସୁଦ୍ଧା ନିଜ ନିଜର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, D.El.Ed ପରୀକ୍ଷା-୨୦୨୬ ଗତ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ସୁଦ୍ଧା ତିନୋଟି ପେପର ପରୀକ୍ଷା ସଫଳତାର ସହ ଶେଷ ହୋଇସାରିଛି।
ଅନ୍ୟପଟେ, ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬ ରଦ୍ଦ, ପାଠ୍ୟପୁସ୍ତକ ତ୍ରୁଟି ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଏବଂ ଭୋଟର ତାଲିକା ସଂଶୋଧନ ଅନିୟମିତତା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ‘ଇଣ୍ଡିଆ’ ମେଣ୍ଟ ଏହି ବନ୍ଦ ଡାକରା ଦେଇଛି।




