ନୀଳଗିରି: ତାମିଲନାଡୁର ନୀଳଗିରି ଜିଲ୍ଲାରେ ଭାରି ବର୍ଷା ମଧ୍ୟରେ ଏକ ବଡ଼ ପଥର କାର୍ ଉପରେ ପଡ଼ିବାରୁ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। କୁନ୍ନୁର-ମେଟ୍ଟୁପାଲୟମ୍ ପାହାଡ଼ିଆ ରାସ୍ତାର ବୁର୍ଲିୟାର ନିକଟରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି।
ମୃତକଙ୍କ ନାମ ବି. କୃଷ୍ଣମୂର୍ତ୍ତି। ତାଙ୍କ ବୟସ ପ୍ରାୟ ୬୪-୬୫ ବର୍ଷ ଏବଂ ସେ ଓଟି ନିକଟ ଜଗଥଳା ଅଞ୍ଚଳର ବାସିନ୍ଦା ଥିଲେ। ଘଟଣା ସମୟରେ ସେ ପରିବାର ସଦସ୍ୟଙ୍କ ସହ କାର୍ରେ ମେଟ୍ଟୁପାଲୟମ୍ ଅଭିମୁଖେ ଯାଉଥିଲେ। ବୁର୍ଲିୟାର ନିକଟରେ ପାହାଡ଼ରୁ ଏକ ବିଶାଳ ପଥର ଖସି କାର୍ର ପଛପଟେ ପଡ଼ିଥିଲା।
ପଥର ଧକ୍କାରେ କାର୍ର ପଛ ସିଟ୍ରେ ବସିଥିବା କୃଷ୍ଣମୂର୍ତ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଟ୍ଟୁପାଲୟମ୍ ସରକାରୀ ହସ୍ପିଟାଲକୁ ନିଆଯାଉଥିବାବେଳେ ମୃତ୍ୟୁ ଘଟିଥିଲା। ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ କୃଷ୍ଣମୂର୍ତ୍ତିଙ୍କ ପତ୍ନୀ ଦେବକୀଙ୍କ ସମେତ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି। ଦେବକୀଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଥିବାବେଳେ ଅନ୍ୟ ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ କୋଏମ୍ବାଟୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ ଚଳାଉଥିବା କୃଷ୍ଣମୂର୍ତ୍ତିଙ୍କ ପୁଅ ଓ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି।
ନୀଳଗିରି ଅଞ୍ଚଳରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ରାସ୍ତାରେ ମାଟି ଅତଡ଼ା ଖସିବା, ଗଛ ଉପୁଡ଼ିବା ଓ ପଥର ଖସିବା ଘଟଣା ବଢ଼ିଛି। କୁନ୍ନୁର-ମେଟ୍ଟୁପାଲୟମ୍ ରାସ୍ତାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିଛି।
ଘଟଣା ସମ୍ପର୍କରେ ମେଟ୍ଟୁପାଲୟମ୍ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ପଥର ହଟାଇ ରାସ୍ତାରେ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ଧାରକାରୀ ଦଳ କାର୍ଯ୍ୟ କରୁଛି।




