ପିଥୋରାଗଡ଼: ଉତ୍ତରାଖଣ୍ଡର ଉଚ୍ଚ ହିମାଳୟୀ ଅଞ୍ଚଳରେ ଭାରି ବରଫପାତ ମଧ୍ୟରେ ଆଦି କୈଳାସ ଯାତ୍ରା ଅଭୂତପୂର୍ବ ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହୋଇଛି। ପ୍ରାୟ ୧୪,୫୦୦ ଫୁଟ୍‌ ଉଚ୍ଚତାରେ ଭାରି ବରଫ ଜମିବା ପରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଏହା ସହ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଭିଡ଼ ବଢ଼ିବାରୁ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଛି। ଏହି ‘ହ୍ୱାଇଟ୍‌ ଟ୍ରାଫିକ୍‌ ଜାମ୍‌’ରେ ଶହ ଶହ ପର୍ଯ୍ୟଟକ ଘଣ୍ଟା ଘଣ୍ଟା ଧରି ଫସିଥିବା ଜଣାପଡ଼ିଛି।

ଗତ କିଛି ଦିନରେ ଆଦି କୈଳାସ ଅଞ୍ଚଳରେ ପ୍ରାୟ ୩ରୁ ୪ ଫୁଟ୍‌ ପର୍ଯ୍ୟନ୍ତ ବରଫ ଜମିଛି। ବରଫ ହଟାଇବା ପାଇଁ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ୍‌ (BRO) ପକ୍ଷରୁ କାର୍ଯ୍ୟ କରାଯାଉଥିଲେ ମଧ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଜମିଥିବା ବରଫ ସମ୍ପୂର୍ଣ୍ଣ ହଟିନଥିବାରୁ ଯାତାୟାତ ପାଇଁ ରାସ୍ତାର ଚଉଡ଼ା କମିଯାଇଛି।

ଏହା ସହିତ ଛୁଟି ଓ ସପ୍ତାହାନ୍ତରେ ଆଦି କୈଳାସ ଓ ଓମ୍‌ ପର୍ବତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଥିଲା। ରାସ୍ତାର ସଂକୀର୍ଣ୍ଣ ଅଂଶରେ ଗୋଟିଏ ଗାଡ଼ି ଅଟକିଲେ ପଛରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ଅଟକି ଯାଇ ଲମ୍ବା ଧାଡ଼ି ସୃଷ୍ଟି ହେଉଥିବା ଜଣାପଡ଼ିଛି। କିଛି ରିପୋର୍ଟ ଅନୁସାରେ ଜାମ୍‌ ପ୍ରାୟ ୧.୫ରୁ ୨ କିମି ପର୍ଯ୍ୟନ୍ତ ଲମ୍ବା ହୋଇଥିଲା।

ଆଦି କୈଳାସ ଓ ଓମ୍‌ ପର୍ବତ ଅଞ୍ଚଳକୁ ଯାତ୍ରୀଙ୍କ ଆକର୍ଷଣ ଗତ କିଛି ବର୍ଷରେ ଦ୍ରୁତ ବଢ଼ିଛି। ଉପଲବ୍ଧ ଆକଳନ ଅନୁସାରେ ୨୦୨୩ରେ ଆଦି କୈଳାସକୁ ୧୦,୦୭୯ ଜଣ ଯାତ୍ରୀ ଓ ପର୍ଯ୍ୟଟକ ଯାଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୨୯,୪୨୩ ଏବଂ ୨୦୨୫ରେ ୩୧,୫୫୮ରେ ପହଞ୍ଚିଥିଲା। ୨୦୨୬ରେ ଏପର୍ଯ୍ୟନ୍ତ ୬୧,୯୫୦ରୁ ଅଧିକ ଲୋକ ଏହି ଅଞ୍ଚଳକୁ ଯାଇସାରିଛନ୍ତି।

ତେବେ ଉଚ୍ଚ ହିମାଳୟର ପାଣିପାଗ ଓ ରାସ୍ତା ପରିସ୍ଥିତି ଯାତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇରହିଛି।ଆଦି କୈଳାସ ଯାତ୍ରା ମାର୍ଗର ଏଲଗାଡ଼, କୁଲାଗାଡ଼, ଏସ୍‌-ବେଣ୍ଡ୍‌ ଓ ମାଲଘାଟ୍‌ ଭଳି ସମ୍ବେଦନଶୀଳ ଅଂଶଗୁଡ଼ିକ ଆଗରୁ ହିଁ ସଂକୀର୍ଣ୍ଣ। ବରଫପାତ ପରେ ସ୍ଥିତି ଆହୁରି ଜଟିଳ ହୋଇଛି।

ଏହି ପରିସ୍ଥିତିରେ ଉଚ୍ଚ ଉଚ୍ଚତାର ଅଞ୍ଚଳକୁ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କୁ ପାଣିପାଗ ଓ ସଡ଼କ ପରିସ୍ଥିତି ସମ୍ପର୍କରେ ସୂଚନା ନେଇ ଯାତ୍ରା କରିବାକୁ କୁହାଯାଉଛି।