ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’କୁ ଦୃଷ୍ଟିରେ ରଖି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଅଧିକାରୀମାନଙ୍କୁ କଠୋର ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ଚାଲୁରହିବ ଏବଂ ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି।

ଲୋକସେବା ଭବନ ଓ ସରକାରୀ ଅଫିସ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍

ବିରୋଧୀ ଦଳଗୁଡ଼ିକ ସକାଳ ୬ଟାରୁ ସଞ୍ଜ ୬ଟା ଯାଏଁ ରାସ୍ତାରୋକ, ରେଳ ରୋକ, ଶିକ୍ଷାନୁଷ୍ଠାନ ଓ ବଜାର ବନ୍ଦ ପାଇଁ ଯୋଜନା କରିଥିବାରୁ, ସରକାରୀ କର୍ମଚାରୀଙ୍କ ଉପସ୍ଥିତି ଓ ସଚିବାଳୟ ସୁରକ୍ଷା ନେଇ ଗୃହ ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି:

  • ସକାଳ ୯:୩୦ ସୁଦ୍ଧା ଉପସ୍ଥିତି: ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସକାଳ ୯ଟା ୩୦ ମିନିଟ୍ ସୁଦ୍ଧା ଅଫିସ୍‌ରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।
  • ଗେଟ୍ ବନ୍ଦ ଓ ପ୍ରବେଶ କଟକଣା: ଲୋକସେବା ଭବନର ସମ୍ମୁଖ ଗେଟ୍ ସକାଳ ୧୦ଟା ୧୫ ମିନିଟ୍‌ରେ ବନ୍ଦ କରିଦିଆଯିବ। କେବଳ ପଛ ଗେଟ୍ ଦେଇ ପ୍ରବେଶ ସୁବିଧା ମିଳିବ। ରେଡ୍ ବିଲ୍ଡିଂ ଓ ମୁଖ୍ୟ ଲୋକସେବା ଭବନ ମଧ୍ୟରେ ଥିବା ସଂଯୋଗୀକରଣ ଗେଟ୍ ଖୋଲା ରହିବ।
  • କଡ଼ାକଡ଼ି ଯାଞ୍ଚ: ଆଇଡେଣ୍ଟିଟି କାର୍ଡ, ଅଫିସ୍ ପାସ୍ ଏବଂ ବୈଧ କାର୍ ପାସ୍ ନଥିଲେ କୌଣସି ବ୍ୟକ୍ତି କିମ୍ବା ଗାଡ଼ିକୁ ପ୍ରବେଶ ଅନୁମତି ମିଳିବ ନାହିଁ।

ବନ୍ଦ ଦିନ ସାଧାରଣ ଦର୍ଶକ କିମ୍ବା ପରିଦର୍ଶକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ସୀମିତ ରଖାଯାଇଛି। କେବଳ ପୂର୍ବ ନିର୍ଦ୍ଧାରିତ ଜରୁରୀ କାର୍ଯ୍ୟ ଥିଲେ ସ୍ୱରାଷ୍ଟ୍ର ବିଭାଗର ବିଶେଷ ସଚିବଙ୍କ ସୁପାରିଶକ୍ରମେ ଗେଟ୍ ପାସ୍ ଜାରି କରାଯାଇପାରିବ। ଏଥିସହିତ ଅଫିସ୍ ପରିସରରେ କର୍ମଚାରୀମାନଙ୍କୁ ଅନାବଶ୍ୟକ ଭାବେ ନବୁଲି ନିଜ ନିଜ କାମରେ ମନୋନିବେଶ କରିବାକୁ କୁହାଯାଇଛି।

ଯେକୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇଁ ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ (୭୦୦୮୦୫୩୯୦୩) କିମ୍ବା ସଚିବାଳୟ ସୁରକ୍ଷା ଅତିରିକ୍ତ ଡିସିପି (୦୬୭୪-୨୩୨୨୫୨୨)ଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।