ଭୁବନେଶ୍ୱର: ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ କାରଣରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିଚିତ୍ର ତଥା ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳିଛି। ବନ୍ଦ ସମୟରେ ରାସ୍ତାରୋକ ଓ ଯାତାୟାତ ବାଧାପ୍ରାପ୍ତ ହେବା ଭୟରେ, ନିର୍ଦ୍ଧାରିତ ବିମାନ ଉଡ଼ାଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ ଆସି ବିମାନବନ୍ଦରରେ ପହଞ୍ଚିଛନ୍ତି ଶହ ଶହ ଯାତ୍ରୀ।
ବିମାନବନ୍ଦର ପରିସରରେ ଯାତ୍ରୀମାନେ ନିଜ ନିଜର ଭାରୀ ଲଗେଜ୍ ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ଦେଖାଯାଇଛି। ବନ୍ଦ ସମୟରେ ଗାଡ଼ିମୋଟର ମିଳିବ ନାହିଁ ଏବଂ ବିମାନ ମିସ୍ ହୋଇଯିବାର ଆଶଙ୍କା ଥିବାରୁ ଅଧିକାଂଶ ଯାତ୍ରୀ ଭୋର ସମୟରୁ ଆସି ଟର୍ମିନାଲ୍ ପରିସରରେ ଜମା ହୋଇଛନ୍ତି।
ଫଳରେ ବିମାନବନ୍ଦରର ପ୍ରତୀକ୍ଷାଳୟ ଓ ବାହାର ପରିସରରେ ଅସ୍ବାଭାବିକ ଭିଡ଼ ଜମିଛି। ଯାତ୍ରୀମାନେ ନିଜ ବିମାନ ସମୟ ହେବା ପର୍ଯ୍ୟନ୍ତ ସେଠାରେ ରହିବାକୁ ବାଧ୍ୟ ହୋଇଛନ୍ତି।
ସେପଟେ ଅନ୍ୟପଟୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀମାନେ ଅନ୍ୟ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟବ୍ୟାପୀ ବନ୍ଦ ଓ ଅଟୋ-ଟ୍ୟାକ୍ସି ସେବା ଠପ୍ ରହିଥିବାରୁ ବିମାନବନ୍ଦରରୁ ନିଜ ନିଜ ଘର କିମ୍ବା ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ କୌଣସି ଯାନବାହନ ମିଳୁନାହିଁ।
ଆପ୍-ଭିତ୍ତିକ ଟ୍ୟାକ୍ସି ଓ ଅଟୋ ସେବା ସମ୍ପୂର୍ଣ୍ଣ ନିଲମ୍ବିତ ଥିବାରୁ ବିମାନରୁ ଓହ୍ଲାଇବା ପରେ ଯାତ୍ରୀମାନେ ନିଜ ଲଗେଜ୍ ଧରି ବିମାନବନ୍ଦର ବାହାରେ ଦୀର୍ଘ ସମୟ ଅସହାୟ ଭାବେ ଛିଡ଼ା ହୋଇ ରହିଛନ୍ତି।




