ଭୁବନେଶ୍ୱର: ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ ସମୟରେ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଠାରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ବିକ୍ଷୋଭ ପ୍ରଦର୍ଶନ ଏବଂ ରାସ୍ତାରୋକ କରୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଜୟଦେବ ଜେନା ଏବଂ ସୁରେଶ ରାଉତରାୟଙ୍କୁ ପୁଲିସ ହେପାଜତକୁ ନେଇଛି।
ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ବନ୍ଦକୁ ସଫଳ କରିବା ପାଇଁ ଶତାଧିକ କଂଗ୍ରେସ ଓ ମେଣ୍ଟ କର୍ମୀ ଲୋୟର ପିଏମ୍ଜି ପରିସରରେ ଜମା ହୋଇ ସରକାରବିରୋଧୀ ନାରାବାଜି କରିବା ସହ ବିଧାନସଭା ମାର୍ଗକୁ ଅବରୋଧ କରିବାକୁ ଚେଷ୍ଟା କରିଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବଜାୟ ରଖିବା ଏବଂ ସୁରକ୍ଷା ଦୃଷ୍ଟିରୁ ସେଠାରେ ମୋତୟନ ଥିବା ପୁଲିସ ବଳ ତୁରନ୍ତ ଆକ୍ସନ୍ ମୋଡ୍କୁ ଆସିଥିଲା। ପୁଲିସ ଆନ୍ଦୋଳନକାରୀ ନେତାମାନଙ୍କୁ ଅଟକ ରଖିବା ପାଇଁ ଭ୍ୟାନ୍ରେ ଉଠାଇ ନେଇଥିଲା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ବରିଷ୍ଠ ନେତା ସୁର ରାଉତରାୟଙ୍କୁ ପୁଲିସ ଗାଡ଼ିରେ ବସାଇ ନେବା ପରେ ଘଟଣାସ୍ଥଳରେ ରାଜନୈତିକ ଚର୍ଚ୍ଚା ଓ କର୍ମୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି। ନେତାମାନଙ୍କୁ ଉଠାଇ ନିଆଯିବା ପରେ ମଧ୍ୟ ଅନ୍ୟ କର୍ମୀମାନେ ନାରାବାଜି ଜାରି ରଖିଥିଲେ।
ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ପୁଲିସ ବଳ ମୋତୟନ କରାଯାଇଛି।




