ବେଙ୍ଗାଲୁରୁ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟରଙ୍କ ନାମ କାଟିବା ଅଭିଯୋଗକୁ ନେଇ ସାରା ଦେଶରେ ବିରୋଧର ସ୍ୱର କ୍ରମଶଃ ତୀବ୍ର ହେବାରେ ଲାଗିଛି। ବେଙ୍ଗାଲୁରୁଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଲୋକପ୍ରିୟ ୟୁଟ୍ୟୁବର୍ ଧ୍ରୁବ ରାଠୀ ଏବଂ ବରିଷ୍ଠ ଅଭିନେତା ପ୍ରକାଶ ରାଜ ସାମିଲ ହୋଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ପ୍ରତିବାଦ ସଭାରେ ଉଦ୍ବୋଧନ ଦେଇ ଧ୍ରୁବ ରାଠୀ ଏହି ଆନ୍ଦୋଳନକୁ ଗଣତନ୍ତ୍ର ଓ ନାଗରିକଙ୍କ ମତାଧିକାର ସୁରକ୍ଷା ପାଇଁ ଏକ ନିର୍ଣ୍ଣାୟକ ଲଢ଼େଇ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାରେ ଭୋଟରଙ୍କ ମତାଧିକାର କ୍ଷୁଣ୍ଣ ହେବା ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ବିପଦ। ଆସନ୍ତା ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରଠାରେ ହେବାକୁ ଥିବା ବିଶାଳ ମହାସମାବେଶରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଅନ୍ୟପଟେ ଅଭିନେତା ପ୍ରକାଶ ରାଜ ଏସଆଇଆର୍ ପ୍ରକ୍ରିୟାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ନାଗରିକଙ୍କ ସ୍ୱରକୁ ପ୍ରମୁଖତାର ସହ ଉଠାଉଥିବାରୁ ଧ୍ରୁବ ରାଠୀଙ୍କୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଏକ ‘ପିପୁଲ୍ସ ଟ୍ରିବ୍ୟୁନାଲ୍’ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ସାଧାରଣ ନାଗରିକ ଓ ବିଶେଷଜ୍ଞମାନେ ନିର୍ବାଚନୀ ପ୍ରକ୍ରିୟାରେ ହେଉଥିବା ତ୍ରୁଟି ବିଚ୍ୟୁତି ବାବଦରେ ଆଲୋଚନା କରିଥିଲେ।
ଦିଲ୍ଲୀରେ ମଧ୍ୟ ବିରୋଧୀ ଦଳର ନେତାମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜୋରଦାର ପ୍ରତିବାଦ ଜାରି ରଖିଛନ୍ତି। ଅକ୍ଟୋବର ୧୦ର ଦିଲ୍ଲୀ ମହାସମାବେଶ ପୂର୍ବରୁ ବେଙ୍ଗାଲୁରୁର ଏହି ବିକ୍ଷୋଭ ସାରା ଦେଶରେ ‘ଗଣତନ୍ତ୍ର ବଞ୍ଚାଓ’ ଆନ୍ଦୋଳନକୁ ଆହୁରି ଶାଣିତ ଓ ତୀବ୍ର କରିଛି।




