ଯାଜପୁର: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଠିକ୍ ଗୋଟିଏ ଦିନ ପୂର୍ବରୁ ଯାଜପୁର ଜିଲ୍ଲା ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଘନ ଘନ ବୋମାମାଡ଼ ହୋଇଛି। ଏହି ବିସ୍ଫୋରଣ ଘଟଣା କ୍ୟାମ୍ପସରେ ବ୍ୟାପକ ଆତଙ୍କ ସୃଷ୍ଟି କରିବା ସହ କଲେଜର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ଭୋର ପ୍ରାୟ ୩:୩୦ ମିନିଟ୍‌ରେ କଲେଜ ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀଙ୍କ ସରକାରୀ ବାସଭବନ ନିକଟରେ ଘଟିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଅଧ୍ୟକ୍ଷ ବାହାରକୁ ଆସିବା ବେଳକୁ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସେ ତୁରନ୍ତ ଅନ୍ୟ ଅଧ୍ୟାପକମାନଙ୍କୁ ଖବର ଦେବା ସହ ପୁଲିସକୁ ଜଣାଇଥିଲେ।

ଏହାର କିଛି ସମୟ ପରେ, କଲେଜ ପରିସରସ୍ଥିତ ପଠାଣି ସାମନ୍ତ ଛାତ୍ରାବାସ ନିକଟରେ ଆଉ ୩ ରୁ ୪ଟି ବୋମା ବିସ୍ଫୋରଣ ହୋଇଥିଲା, ଯାହାଫଳରେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇ ଯାଜପୁର ରୋଡ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ କଲେଜ ପରିସରରୁ କେତେକ ଅଫୁଟା ବୋମା ଜବତ କରିଥିବା ଜଣାପଡ଼ିଛି, ଯାହା କୌଣସି ବଡ଼ ଧରଣର ଅସାମାଜିକ କାର୍ଯ୍ୟକଳାପର ଆଶଙ୍କାକୁ ଦର୍ଶାଉଛି।

ଶୁକ୍ରବାର ଦିନ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ମନେକରାଯାଉଛି। କଲେଜ ଅଧ୍ୟକ୍ଷ ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।