ଜେରୁଜେଲମ୍: ଗତ ସପ୍ତାହରେ ଆକାଶମାର୍ଗରେ ଫ୍ଲାଇ-ଦୁବାଇ ବିମାନର ସହ-ପାଇଲଟ୍ଙ୍କ ଆକ୍ରମଣର ସାହସିକତାର ସହ ମୁକାବିଲା କରି ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚାରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ସାହସିକତା ପୁରସ୍କାର ‘ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର୍ ସିଭିଲିଆନ୍ ହିରୋଇଜିମ୍’ ପ୍ରଦାନ କରାଯିବ। ଇସ୍ରାଏଲ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ସମ୍ମାନଜନକ ପୁରସ୍କାର ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।
ସଂଯୁକ୍ତ ଆରବ ଅମୀରତ ଅନୁସନ୍ଧାନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଦୁବାଇରୁ ତେଲ୍ ଅବିଭ୍ ଯାଉଥିବା ଏହି ବିମାନର ସହ-ପାଇଲଟ୍ ହମାମ୍ ଅଲ୍-ହାମାମୀ କକ୍ପିଟ୍ରେ ଥିବା କୁରାଢ଼ି ସାହାଯ୍ୟରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଚାରଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଏହି ଆତଙ୍କବାଦୀ ଆକ୍ରମଣ ସତ୍ତ୍ୱେ କ୍ୟାପଟେନ୍ ମାଚାର ଗୁରୁତର ଆହତ ଅବସ୍ଥାରେ ବିମାନର ନିୟନ୍ତ୍ରଣ ତାଙ୍କୁ ନେବାକୁ ଦେଇନଥିଲେ।
ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତିରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ସୁଦ୍ଧା କ୍ୟାପଟେନ୍ ମାଚାର କକ୍ପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ, ଯାହାଫଳରେ ବିମାନରେ ଥିବା ଯାତ୍ରୀମାନେ ଭିତରକୁ ଆସି ସହ-ପାଇଲଟ୍କୁ କାବୁ କରିନେଇଥିଲେ ଏବଂ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଥିଲା।
ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ କହିଛନ୍ତି ଯେ କ୍ୟାପଟେନ୍ ମାଚାର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଇସ୍ରାଏଲ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରାଯିବ। ତାଙ୍କର ଅସାଧାରଣ ଧୈର୍ଯ୍ୟ, ସାହସ ଓ ବୃତ୍ତିଗତ କୌଶଳ ଯୋଗୁଁ ଆଜି ୧୭୪ ଜଣଙ୍କ ଜୀବନ ବଞ୍ଚିପାରିଛି।
ଏହି କାର୍ଯ୍ୟକ୍ରମରେ ବିମାନର ଆକ୍ରମଣକାରୀକୁ କାବୁ କରିବାରେ ସାହାଯ୍ୟ କରିଥିବା ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ମଧ୍ୟ ଜେରୁଜେଲମ୍ସ୍ଥିତ ପ୍ରେସିଡେନ୍ସିଆଲ୍ ହାଉସ୍ରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।




