ଭୁବନେଶ୍ୱର: ପବିତ୍ର ଧାମ ପୁରୀର ଭିତ୍ତିଭୂମି ବିକାଶ, ଭକ୍ତଙ୍କ ସୁବିଧାସୁଯୋଗ ବୃଦ୍ଧି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରସାର ପାଇଁ ଓଡ଼ିଶା ସରକାର ‘ଅବଢ଼ା’ (ABADHA) ଭଳି ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଶୁକ୍ରବାର ଦିନ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ଗୁରତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ଯେ, ‘ଆଗମେଣ୍ଟେସନ୍ ଅଫ୍ ବେସିକ୍ ଆମେନିଟିଜ୍ ଆଣ୍ଡ୍ ଡେଭେଲପମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକ୍ଚର’ (ABADHA) ଯୋଜନା ଢାଞ୍ଚାରେ ହିଁ ଏହି ନୂତନ ଯୋଜନା ପ୍ରଣୟନ କରାଯିବ। ଆଗାମୀ ଦିନରେ ପୁରୀର ବିକାଶ ପାଇଁ ହାତକୁ ନିଆଯାଉଥିବା ସମସ୍ତ ନୂତନ ପ୍ରକଳ୍ପ ଏବଂ ଶ୍ରୀମନ୍ଦିର ସମ୍ପର୍କିତ କାର୍ଯ୍ୟଗୁଡ଼ିକୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ।

ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ସରକାରଙ୍କ ମୂଳ ଲକ୍ଷ୍ୟ। ଏହି କ୍ରମରେ କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ସେଗୁଡ଼ିକର ସଫଳ ରୂପାୟନ ସୁନିଶ୍ଚିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ନୂତନ ଯୋଜନା ଦ୍ୱାରା ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଓ ରହଣି ଅଧିକ ସୁଗମ ହୋଇପାରିବ। ଏହାସହ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଏବଂ ସମଗ୍ର ବିଶ୍ୱରେ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ୱଚ୍ଛ ଓ ସୁସଂଗଠିତ ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ପୁରୀର ଐତିହ୍ୟ, ସ୍ଥାପତ୍ୟ ଏବଂ ମୌଳିକ ସୁବିଧାର ବିକାଶ ପାଇଁ ମୂଳ ‘ଅବଢ଼ା’ ଯୋଜନା ଆରମ୍ଭ କରାଯାଇଥିଲା। ବର୍ତ୍ତମାନର ନୂତନ ସରକାର ମଧ୍ୟ ସେହିଭଳି ଏକ ସମନ୍ୱିତ ପ୍ରକଳ୍ପ ମାଧ୍ୟମରେ ପୁରୀର ସାର୍ବଙ୍ଗୀନ ନବକଳେବର ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।