ନୂଆଦିଲ୍ଲୀ: କକ୍‌ରୋଚ୍‌ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଜେଜେମା’ଙ୍କ ପରଲୋକ ହୋଇଛି। ଅଭିଜିତ ଦିଲ୍ଲୀ ପୁଲିସ ହେପାଜତରେ ଥିବାବେଳେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ତାଙ୍କ ଜେଜେମା’ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ନିଜ ପୈତୃକ ଗାଁ ସନ୍ତୁକ ପିମ୍ପରିରେ ତାଙ୍କର ଦେହାନ୍ତ ହୋଇଛି। ଅଭିଜିତଙ୍କ ଆନ୍ଦୋଳନ ଏବଂ ଦିଲ୍ଲୀରେ ତାଙ୍କୁ ପୁଲିସ ହେପାଜତକୁ ନେବା ଘଟଣାକୁ ନେଇ ପୂର୍ବରୁ ଚିନ୍ତିତ ଥିବା ପରିବାର ପାଇଁ ଏହି ଖବର ଆଉ ଏକ ଦୁଃଖଦ ଆଘାତ ଆଣିଛି।

ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ଦିଲ୍ଲୀ ଆସିଥିଲେ ଅଭିଜିତ

ସୂଚନା ଅନୁଯାୟୀ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରିବାକୁ ଅଭିଜିତ ଘୋଷଣା କରିଥିଲେ। ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ସେ ଶୁକ୍ରବାର ସକାଳେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ। ତେବେ ଦିଲ୍ଲୀରେ ପହଞ୍ଚିବା ପରେ ବିମାନ ଭିତରୁ ହିଁ ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା।

ଅଭିଜିତଙ୍କ ସହ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ପ୍ରଥମେ ସେମାନଙ୍କୁ ବୁଝାଇବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେମାନେ ରାଜି ନ ହେବାରୁ ତିନିଜଣଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡ଼ିଛି।

ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲେ ଅଭିଜିତଙ୍କ ବାପା-ମା’

ଅଭିଜିତଙ୍କୁ ବିମାନ ଭିତରୁ ହେପାଜତକୁ ନିଆଯିବା ଘଟଣାକୁ ନେଇ ତାଙ୍କ ବାପା-ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ କେତେ ଯୁକ୍ତିଯୁକ୍ତ, ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଅଭିଜିତଙ୍କ ବାପା କହିଛନ୍ତି, “ମୋ ପୁଅ କ’ଣ ଅପରାଧ କରିଥିଲା?” ପୁଅର କିଛି କ୍ଷତି ହେଲେ ସରକାରଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏଥିସହ ଦେଶରେ ପ୍ରଥମ ଥର ପାଇଁ ଜଣେ ଛାତ୍ରଙ୍କୁ ବିମାନ ଭିତରୁ ଗିରଫ କରାଯାଇଥିବା ସେ ଦାବି କରିଛନ୍ତି। ଅପରାଧୀ ଓ ଆତଙ୍କବାଦୀଙ୍କୁ ଧରିବାରେ ବିଳମ୍ବ ହେଉଥିବାବେଳେ ଅନ୍ୟ ଲୋକଙ୍କୁ ତୁରନ୍ତ ଗିରଫ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।