ଗୁଆହାଟୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁଆହାଟୀ ଜୋନ୍ ଏକ ବଡ଼ଧରଣର ସଫଳତା ହାସଲ କରିଛି। ମିଆଁମାରରୁ ଆସୁଥିବା ପ୍ରାୟ ୪୩ କୋଟି ଟଙ୍କା ମୂଲ୍ୟର ୫୩.୯୩୭ କେଜି ମେଥାମ୍ପେଟାମାଇନ୍ ଟାବଲେଟ୍ ଜବତ କରିବା ସହ ଦୁଇ ଜଣ କାରବାରକାରୀଙ୍କୁ ଏନ୍ସିବି ଗିରଫ କରିଛି। ରବିବାର ଏକ ସରକାରୀ ବିବୃତି ଜରିଆରେ ଏହି ସୂଚନା ଦିଆଯାଇଛି।
ଏନ୍ସିବିର ସୂଚନା ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଅକ୍ଟୋବର ୬ ତାରିଖରେ ଏହି ଅଭିଯାନ ଚାଲିଥିଲା। ଏନ୍ସିବି ଅଧିକାରୀମାନେ ଦୁଇଟି ଟ୍ରକକୁ ଅଟକାଇ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ତଦନ୍ତ ସମୟରେ ଗାଡ଼ିଗୁଡ଼ିକର ଇନ୍ଧନ ଟାଙ୍କି ଭିତରେ ଅତ୍ୟନ୍ତ ଚତୁରତାର ସହ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଗୁପ୍ତ ଚେମ୍ବର ବା କାଭିଟି ରହିଥିବା ଜଣାପଡ଼ିଥିଲା। ଆଇନଗତ ପ୍ରତିବନ୍ଧକ ଓ ଏଜେନ୍ସିର ନଜରରୁ ବର୍ତ୍ତିବା ପାଇଁ ଏହି ଉପାୟ ଅବଲମ୍ବନ କରାଯାଇଥିଲା।
ଏହି ଅଭିଯାନରେ ଉକ୍ତ ମାଦକ ଦ୍ରବ୍ୟ ଜବତ ହେବା ସହ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଦିନ ଜଣ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ପ୍ରାଥମିକ ତରଦନ୍ତରୁ ଏହି କଣ୍ଟ୍ରାବ୍ୟାଣ୍ଡ ମିଆଁମାରରୁ ଅଣାଯାଇଥିବା ସ୍ପଷ୍ଟ ହୋଇଛି।
ଏହି ବଡ଼ଧରଣର ନାକୋଟିକ୍ସ ଚାଲାଣକୁ ପଣ୍ଡ କରାଯାଇଥିବା ବେଳେ ଏହାର ଆନ୍ତର୍ଜାତୀୟ ଯୋଗାଣକାରୀ, ସ୍ଥାନୀୟ ଗ୍ରାହକ, ଅର୍ଥ ଯୋଗାଣକାରୀ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କୁ ଠାବ କରିବା ପାଇଁ ଏନ୍ସିବି ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି।
ଅନ୍ୟପକ୍ଷରେ, ଏନ୍ସିବି ଗୁଆହାଟୀ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର “ଫେରାର ଅପରାଧୀ ଅଭିଯାନ” ଅଧୀନରେ ବିଭିନ୍ନ ଏନଡିପିଏସ୍ (NDPS) ମାମଲାରେ ଫେରାର ଥିବା ୬ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ଆସାମ, ବିହାର, ମଧ୍ୟପ୍ରଦେଶ, ମଣିପୁର ଏବଂ ତ୍ରିପୁରାର ବାସିନ୍ଦା ବେଳେ ଜଣାପଡ଼ିଛି। ଉତ୍ତର-ପୂର୍ବାଞ୍ଚଳରେ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ପାଇଁ ଏନ୍ସିବି ପକ୍ଷରୁ ରାଜ୍ୟ ପୋଲିସ, ବିଏସ୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରାଯାଉଛି।




