ଟୋକିଓ: ପୂର୍ବ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି କରି ଉତ୍ତର କୋରିଆ ସୋମବାର ଦିନ ଜାପାନ ସାଗର ଆଡ଼କୁ ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ କେତେକ ୯୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଥିବା ବେଳେ ଜାପାନ ପକ୍ଷରୁ କୁହାଯାଇଛି ଯେ ଦୁଇଟି ମିସାଇଲ୍ ତାଙ୍କର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ବାହାରେ ପଡ଼ିଛି।
ଜାପାନର ‘କ୍ୟୋଡୋ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ସ୍ପଷ୍ଟ କରିଛନ୍ତି ଯେ ସୋମବାର ସକାଳ ପ୍ରାୟ ୯:୨୦ ରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଉତକ୍ଷେପଣ କରାଯାଇଥିଲା।
ଜାପାନର ସଂସଦୀୟ ଉପ-ପ୍ରତିରକ୍ଷା ମନ୍ତ୍ରୀ ତାକାଶି କୋୟାରି କହିଛନ୍ତି ଯେ କୂଟନୈତିକ ସ୍ତରରେ ଜାପାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଢ଼ ନିନ୍ଦା କରିବା ସହ ଉତ୍ତର କୋରିଆ ନିକଟରେ ଆପତ୍ତି ଦର୍ଶାଇଛି। ଏହି ପରୀକ୍ଷଣ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ର ନିୟମାବଳୀକୁ ଉଲ୍ଲଂଘନ କରାଯାଇଛି। ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସରକାରୀ ବିଭାଗଗୁଡ଼ିକୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା, ସାଧାରଣ ଜନତାଙ୍କୁ ତୁରନ୍ତ ସୂଚନା ଦେବା ଏବଂ ଜଳ ଓ ଆକାଶମାର୍ଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ୩ ତାରିଖରେ ମଧ୍ୟ ଉତ୍ତର କୋରିଆ ସମାନ ଭାବେ ଏକ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିଲା, ଯାହା ପ୍ରାୟ ୭୦୦ କିଲୋମିଟର ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡ଼ିଥିଲା। ଆମେରିକା ଏବଂ ଦକ୍ଷିଣ କୋରିଆର ଗୁପ୍ତଚର ସଂସ୍ଥାଗୁଡ଼ିକ ଏହି ଗତିବିଧି ଉପରେ କ୍ରମାଗତ ନଜର ରଖିଛନ୍ତି। ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି ଯେ, ଆମେରିକା-ଦକ୍ଷିଣ କୋରିଆ ଯୌଥ ସୁରକ୍ଷା ବ୍ୟବସ୍ଥା ଅଧୀନରେ କୌଣସି ବି ପରିସ୍ଥିତି କିମ୍ବା ଉସ୍କାନିର କଡ଼ା ଜବାବ ଦେବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।




