ଜାତିସଂଘ: ମାନବତା ବିରୋଧୀ ଅପରାଧର ରୋକଥାମ ଏବଂ ଏହାର ଦଣ୍ଡବିଧାନ ପାଇଁ ପ୍ରସ୍ତୁତ କରାଯାଉଥିବା ନୂତନ ଆନ୍ତର୍ଜାତୀୟ ଚୁକ୍ତି କାଠଜୋଡ଼ିରେ ଆତଙ୍କବାଦକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ଭାରତ ଜାତିସଂଘ (UN) ରେ ଦୃଢ଼ ଦାବି କରିଛି।

ଜାତିସଂଘରେ ଭାରତୀୟ ମିସନର କାଉନସେଲର ଆର. ମୈଥିଲୀ ଗତ ସୋମବାର ଆଇନଗତ ମାମଲା ବୁଝୁଥିବା ସାଧାରଣ ସଭାର ଷଷ୍ଠ କମିଟି ବୈଠକରେ ଏହି ବକ୍ତବ୍ୟ ରଖିଛନ୍ତି। ୨୦୨୮ ମସିହାରେ ଆୟୋଜିତ ହେବାକୁ ଥିବା ‘ମାନବତା ବିରୋଧୀ ଅପରାଧର ନିବାରଣ ଓ ଦଣ୍ଡବିଧାନ’ ସମ୍ମିଳନୀ ଏବଂ ସେଥିରେ ଗ୍ରହଣ କରାଯିବାକୁ ଥିବା ଆନ୍ତର୍ଜାତୀୟ ସମ୍ମିଳନୀ ସମ୍ପର୍କରେ ସେ ଆଲୋଚନା କରୁଥିଲେ।

ମୈଥିଲୀ କହିଛନ୍ତି ଯେ, “ଆତଙ୍କବାଦୀଙ୍କ ଦ୍ୱାରା ସଂଘଟିତ ଜଘନ୍ୟ ଅପରାଧ ଏବଂ ନୃଶଂସତା, ଯେଉଁଠାରେ ଏହା ନିର୍ଦ୍ଧାରିତ ମାପଦଣ୍ଡ ପୂରଣ କରେ, ତାହାକୁ ମାନବତା ବିରୋଧୀ ଅପରାଧର ଆଇନଗତ ଢାଞ୍ଚା ମଧ୍ୟରେ ଯୋଗ୍ୟ ଭାବେ ସାମିଲ କରାଯିବା ଆବଶ୍ୟକ।”

ଆତଙ୍କବାଦୀ କାର୍ଯ୍ୟକଳାପର ଗମ୍ଭୀରତା ଏବଂ ସାଧାରଣ ଜନତାଙ୍କ ଉପରେ ଏହାର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯିବା ଆବଶ୍ୟକ। ମୈଥିଲୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ଦେଶ ନିଜର ଜାତୀୟ ଆଇନ ଅନୁଯାୟୀ ମାନବାଧିକାର ଉଲ୍ଲଂଘନ ଏବଂ ବୃହତ୍ ଅପରାଧ ପାଇଁ ନ୍ୟାୟ ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାର ନିଜସ୍ୱ ଦାୟିତ୍ୱ ବହନ କରନ୍ତି।

ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ମାନବତା ବିରୋଧୀ ଅପରାଧକୁ ରୋକିବା ଏବଂ ଦଣ୍ଡିତ କରିବା ପାଇଁ ନିଆଯାଉଥିବା ଯେକୌଣସି ଆନ୍ତର୍ଜାତୀୟ ପଦକ୍ଷେପ ସମ୍ପୃକ୍ତ ଦେଶଗୁଡ଼ିକର ସାର୍ବଭୌମତ୍ୱ ଏବଂ ଅଭ୍ୟନ୍ତରୀଣ ମାମଲାରେ ଅନାବଶ୍ୟକ ହସ୍ତକ୍ଷେପ ନକରିବାର ନୀତିକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ନ୍ୟାୟର ସ୍ୱାର୍ଥ, ଅଭିଯୁକ୍ତଙ୍କ ଅଧିକାର ଏବଂ ପୀଡ଼ିତଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ସମ୍ପୃକ୍ତ ଦେଶଗୁଡ଼ିକୁ କ୍ଷେତ୍ରାଧିକାରର ପ୍ରାଥମିକତା ମିଳିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ଜାତିସଂଘ ସାଧାରଣ ସଭା ପକ୍ଷରୁ ୨୦୨୮ ମସିହାରେ ଏହି ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବତା ବିରୋଧୀ ଅପରାଧର ପ୍ରତିରୋଧ ଏବଂ ଆଇନଗତ ଦଣ୍ଡବିଧାନ ପାଇଁ ଏକ ସାର୍ବଜନୀନ ଓ ବାଧ୍ୟତାମୂଳକ ଆନ୍ତର୍ଜାତୀୟ ଆଇନଗତ ଚୁକ୍ତି ପ୍ରସ୍ତୁତ କରିବା।