ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲାର ଜଣେ ମହିିଳା ଏକ ଏଭଳି ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାର ଗୋଟିଏ ଶରୀର ଏବଂ ଗୋଟିଏ ହୃତପିଣ୍ଡ କିନ୍ତୁ ଦୁଇଟି ମୁଣ୍ଡ ରହିଛି। ଏହି ବିରଳ ଘଟଣା ଡାକ୍ତର ଏବଂ ଚିକିତ୍ସା ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶେଷଜ୍ଞମାନେ ଏହି ଜଟିଳ ସ୍ଥିତିକୁ ‘କ୍ରାନିଓପାଗସ୍ ପାରାସାଇଟିକସ୍’ଭାବେ ଚିହ୍ନଟ କରିଛନ୍ତି। ଏହା ସଂଯୁକ୍ତ ଯାଆଁଳା ଜନ୍ମର ଏକ ଅତ୍ୟନ୍ତ ବିରଳ ରୂପ, ଯେଉଁଥିରେ ଶିଶୁମାନଙ୍କ ମୁଣ୍ଡ ପରସ୍ପର ସହ ସଂଯୁକ୍ତ ହୋଇଥାଏ।

ଜନ୍ମ ପରେ ନବଜାତକଙ୍କୁ ମେଡିକାଲର ସ୍ୱତନ୍ତ୍ର ନବଜାତକ ଯତ୍ନ କେନ୍ଦ୍ର (SNCU) ରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଉପରେ କ୍ରମାଗତ ନଜର ରଖିଛନ୍ତି। ଶିଶୁର ଶ୍ୱାସକ୍ରିୟା, ହୃଦସ୍ପନ୍ଦନ ଏବଂ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟଗତ ପାରାମିଟରଗୁଡ଼ିକୁ ନିରନ୍ତର ମନିଟରିଂ କରାଯାଉଛି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ନବଜାତକ ଜଣଙ୍କ ବର୍ତ୍ତମାନ ଆଇସିୟୁ କେନ୍ଦ୍ରରେ ଅତ୍ୟନ୍ତ ନିରୀକ୍ଷଣରେ ରହିଛନ୍ତି। ଏଭଳି ବିରଳ ଜନ୍ମ ଚିକିତ୍ସା ଜଗତରେ ଏକ ଜଟିଳ ଆହ୍ୱାନ ହୋଇଥିବାବେଳେ ଡାକ୍ତରମାନେ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସହାୟତା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।