ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ମୁଲତାନ ଜିଲ୍ଲା ଶେରଶାହ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ‘ରେହମାନ ବାବା ଏକ୍ସପ୍ରେସ’ ନାମକ ଏକ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅତିକମରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଟ୍ରେନଟି ମୁଲତାନ ଦେଇ ପେଶାୱାର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପାକିସ୍ତାନର ରେଳମନ୍ତ୍ରୀ ହନିଫ ଅବ୍ବାସୀ ୪ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ‘ଫେଡେରାଲ ଗଭର୍ଣ୍ଣମେଣ୍ଟ ଇନ୍ସପେକ୍ଟର ଅଫ୍ ରେଲୱେଜ୍’ (FGIR) ଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।

ଟ୍ରେନର ଲୋକୋ ପାଇଲଟ୍ ରିଜୱାନ ଅବ୍ବାସଙ୍କ କହିବା ଅନୁଯାୟୀ, ଟ୍ରେନଟି ସେତେବେଳେ ଘଣ୍ଟାପ୍ରତି ପ୍ରାୟ ୧୦୦ କିଲୋମିଟର ବେଗରେ ଗତି କରୁଥିଲା। ଶେରଶାହ ଷ୍ଟେସନ୍ ଦେଇ ଯାଉଥିବା ସମୟରେ ହଠାତ୍ ଏକ ଜୋରଦାର ଝଟକା ଅନୁଭୂତ ହୋଇଥିଲା। ସେ ସଙ୍ଗେ ସଙ୍ଗେ ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ। ମାତ୍ର ବାହାରକୁ ଆସି ଦେଖିଲା ବେଳକୁ ପଛରେ ଥିବା ଯାତ୍ରୀବାହୀ ବଗିଗୁଡ଼ିକ ଲାଇନଚ୍ୟୁତ ହୋଇ ଟ୍ରାକ୍ ବାହାରେ ଓଲଟି ପଡ଼ିଥିଲା।

ପାକିସ୍ତାନ ରେଳବାଇର ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ କ୍ରମାଗତ ଭାବେ ଏକାଧିକ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି, ଯାହା ପାକିସ୍ତାନ ରେଳବାଇର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ ପଦାରେ ପକାଇଛି।

  • ଅକ୍ଟୋବର ୧: ଶାଲିମାର ଏକ୍ସପ୍ରେସ ଏବଂ ପାକିସ୍ତାନ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ।
  • ଅଗଷ୍ଟ: ଅୱାମ ଏକ୍ସପ୍ରେସ ଲୋଧରାନ ନିକଟରେ ଲାଇନଚ୍ୟୁତ ହେବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ୨୪ ଜଣ ଆହତ ହୋଇଥିଲେ।
  • ଜୁଲାଇ: ସିନ୍ଧ ପ୍ରଦେଶର ଶିକାରପୁର ନିକଟରେ ରେଳ ଟ୍ରାକରେ ବିସ୍ଫୋରଣ ଯୋଗୁଁ ଜାଫର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା।

ପ୍ରାୟତଃ ପୁରୁଣା ଟ୍ରାକ୍, ଖରାପ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷାରୋପ ନିୟମର ଅଭାବ ଯୋଗୁଁ ପାକିସ୍ତାନରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।