ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କ ନିଯୁକ୍ତି ପରେ ପରେ ରାଜ୍ୟ ରାଜନୀତି ଅଧିକ ସରଗରମ ହୋଇଉଠିଛି। ଗୁରୁବାର ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନବନିଯୁକ୍ତ ରାଜ୍ୟପାଳଙ୍କ କଥିତ ଦଳୀୟ ବୟାନକୁ ନେଇ କଡ଼ା କଟାକ୍ଷ କରିଛନ୍ତି।
ନିଜର ସୋସିଆଲ ମିଡିଆ ‘ଏକ୍ସ’ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ନବୀନ ପଟ୍ଟନାୟକ ଲେଖିଛନ୍ତି, “ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ଶ୍ରୀ ବ୍ରଜ ମୋହନ ରାମଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ। ମନୋନୀତ ରାଜ୍ୟପାଳ ଦଳୀୟ କାର୍ଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହକୁ ଓଡ଼ିଶାବାସୀ ନିରୀକ୍ଷଣ କରୁଛନ୍ତି।”
ସାମ୍ବିଧାନିକ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ନବୀନ ଆହୁରି ଲେଖିଛନ୍ତି, “ଆଶା କରୁଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ତାଙ୍କୁ କିଛି ଉତ୍ସାହ ଓ ଶକ୍ତି ଦେବେ; ଯାହାଫଳରେ ସେ ନିଜର କର୍ତ୍ତବ୍ୟ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ପାଳନ କରିପାରିବେ।”
ସାମ୍ବିଧାନିକ ପଦବୀର ନିରପେକ୍ଷତାକୁ ନେଇ ନବୀନଙ୍କ ଏହି ପୋଷ୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏବଂ ନୂତନ ରାଜ୍ୟପାଳଙ୍କ ଆଭିମୁଖ୍ୟ ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ଅନ୍ୟପଟେ, ବିଜେପି ସଂଗଠନକୁ ସୁଦୃଢ଼ କରିବା ନେଇ ଗଣମାଧ୍ୟମରେ ଆସିଥିବା ନିଜର କଥିତ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଗ୍ରହଣ କରାଯାଇଛି।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ନା, ମୁଁ ଏପରି କହିନଥିଲି। ମୁଁ କହିଥିଲି ଯେ ମୁଁ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବି। ମୁଁ ଏବେ ଦଳୀୟ ରାଜନୀତିର ଉର୍ଦ୍ଧ୍ୱରେ, କିନ୍ତୁ ଯେଉଁ ଦଳରୁ ମୁଁ ଆସିଛି ତାହା ମୋର ପୁଞ୍ଜି। ସେହି ଦଳ ପ୍ରତି ମୋର ସର୍ବଦା ଆନ୍ତରିକତା ଓ ଭଲପାଇବା ରହିବ। କିନ୍ତୁ ମୁଁ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରିବି ନାହିଁ। ହମ୍ ସବକେ ହୈଁ, ସବ୍ ହମାରେ ହୈଁ… (ଆମେ ସମସ୍ତଙ୍କର, ସମସ୍ତେ ଆମର)।”
ଉଲ୍ଲେଖଯୋଗ୍ୟ ଯେ, ଡ଼ଃ ହରିବାବୁ କମ୍ଭମପତିଙ୍କ ସ୍ଥାନରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।




